ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ଏ ଆର ରେହମାନଙ୍କ ମା’ ଙ୍କର ଆଜି ଦେହାନ୍ତ ହୋଇଛି । ଟ୍ୱିଟରରେ ସେ ନିଜ ମା’ଙ୍କର ଏକ ଫଟୋ ସେୟାର କରି ଏହା ଜଣାଇଛନ୍ତି । ଏ ଆର ରେହମାନ ତାଙ୍କ ମା’ଙ୍କର ବହୁତ ନିକଟତର ଏବଂ ପ୍ରତ୍ୟେକ ସମୟରେ ସେ ନିଜ ମା’ଙ୍କୁ ମନେ ପକାଇଥାଆନ୍ତି । ଏପରି ଏକ ପରିସ୍ଥିତିରେ ନିଜ ମା’ଙ୍କୁ ହରାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ।
ସୂଚନାନୁସାରେ ତାଙ୍କ ମା’ଙ୍କ ନାମ କସ୍ତୁରୀ ବେଗମ ଥିଲା, ଯାହାକୁ ସେ ବଦଳାଇ ପରେ କରିମା ବେଗମ କରିଥିଲେ ଏବଂ ଏ ଆର ରେହମାନ ମଧ୍ୟ ନିଜ ନାମ ଦିଲ୍ଲୀପ କୁମାରରୁ ଏ ଆର ରେହମାନକୁ ବଦଳାଇ ଥିଲେ । କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ସେ କହିଥିଲେ ଯଦି ଆଜି ସେ ଏତେ ବଡ ସିଙ୍ଗର ହୋଇ ପାରିଛନ୍ତି , ତେବେ ନିଜ ମା’ଙ୍କ ପାଇଁ । ସେ ଆହୁରି ମଧ୍ୟ କହିଥିଲେ ତାଙ୍କ ଭିତରେ ଥିବା ଗୀତ ଗାଇବାର କଳାକୁ ତାଙ୍କ ମା’ ହିଁ ଚିହ୍ନି ପାରିଥିଲେ ।
ସେ କହିଛନ୍ତି ଏହା କୌଣସି ଫିଲ୍ମରେ ଦେଖାଯାଉଥିବା ମା’ ପୁଅଙ୍କ ଭଲପାଇବା ନୁହେଁ , ସେମାନେ ଦୁହେଁ ଦୁଇଜଣଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି । ତାଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା , ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଏ ଆର ରେହମାନ ତାଙ୍କ ମା’ କରିମା ବେଗମଙ୍କ ଦ୍ୱାରା ପାଳିତ ହୋଇଥିଲେ ।