ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ ଥିବା ଯୋଗଗୁରୁ ରାମଦେବ ବାବାଙ୍କର ନୂତନ ବୟାନ ସାମ୍ନାକୁ ଆସିଛି । ସେ ଅମୀର ଖାଁଙ୍କ ଭିଡିଓ ଜାରି କରି ଭାରତୀୟ ଚିକିତ୍ସା ସଂଘ (ଆଇଏମଏ)କୁ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି କି, ଏହି ମେଡିକାଲ ମାଫିଆଙ୍କଠାରେ ଦମ୍ ଅଛି ଯଦି ଅମୀର ଖାଁଙ୍କ ବିରୋଧରେ ମୋର୍ଚ୍ଚା ଖୋଲନ୍ତୁ ।
ଶନିବାର ରାମଦେବ ବାବା, ବଲିଉଡ ଅଭିନେତା ଅମୀର ଖାଁଙ୍କ ଟେଲିଭିଜନ ସୋ’ ‘ସତ୍ୟମେବ ଜୟତେ’ ର ଏକ ପୁରୁଣା ଭିଡିଓ ଟ୍ୱିଟ କରି ପଚାରିଛନ୍ତି କି, ବଲିଉଡ ଅଭିନେତାଙ୍କୁ ଟକ୍କର ଦେବାରେ ମେଡିକାଲ ମାଫିଆଙ୍କଠାରେ ହିମତ ଅଛି? ବାସ୍ତବରେ ଭିଡିଓରେ ଅମୀରଙ୍କୁ ଡକ୍ଟର ସମିତ ଶର୍ମାଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଯିଏ ଜେନେରିକି ଔଷଧ ଏବଂ ବ୍ରାଣ୍ଡେଡ ଔଷଧ ମଧ୍ୟରେ ଦାମର ଅନ୍ତର ବିଷୟରେ କହୁଛନ୍ତି ।
ଭିଡିଓରେ ଡକ୍ଟର କହୁଛନ୍ତି କି, ଔଷଧର ମୂଳ ଦାମ ବହୁତ କମ । କିନ୍ତୁ ଯେତେବେଳେ ଆମେ ତାକୁ ବଜାରରୁ କିଣିଥାଏ । ସେହି ଔଷଧ ପାଇଁ ଆମକୁ ୧୦-୫୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିଥାଏ । ଅର୍ଥାତ ଉଚ୍ଚ ଦରରେ ଔଷଧ ବିକ୍ରି କରାଯାଇଥାଏ । ଭାରତରେ ୪୦ କୋଟି ରୁ ଅଧିକ ଲୋକ ଦିନକୁ ଦୁଇ ବେଳା ଖାଇ ପାରୁନାହାନ୍ତି । ସେମାନେ କଣ ଅଧିକ ଦାମ୍ ଯୁକ୍ତ ଔଷଧ କିଣି ପାରିବେ ।