ମୁମ୍ବାଇ (ଏଟିଆର ବ୍ୟୁରୋ): କିଛି ଦିନ ପୂର୍ବରୁ ଏକ ବ୍ରେଷ୍ଟଫିଡିଙ୍ଗ୍ ଫଟୋ ସୁଟ୍ କୁ ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ଯେଉଁଥି ପାଇଁ ମାଲାୟଲମ ଅଭିନେତ୍ରୀ ଗିଲୁ ଜୋସଫଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଥିଲା । କେବଳ ଏତିକି ନୁହେଁ ଘଟଣାଟି ସିଧାସଳଖ ହାଇକୋର୍ଟରେ ପହଁଚିଥିଲା । ଏହି ଫଟୋକୁ ନେଇ ହାଇକୋର୍ଟ ପକ୍ଷରୁ ରାୟ ଶୁଣାଯାଇଥିଲା କି ଫଟୋଟିରେ କୌଣସି ଅଶ୍ଲୀଳତା ନାହିଁ । ହାଇକୋର୍ଟର ଏହି ନିଷ୍ପତିକୁ ସ୍ୱାଗତ କରି ମାଲାୟଲମ ଅଭିନେତ୍ରୀ ଏନେଇ ମୁହଁ ଖୋଲିଛନ୍ତି ।
ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତ କରି ଅଭିନେତ୍ରୀ କହିଛନ୍ତି କି, ମୁଁ କୋର୍ଟର ନିଷ୍ପତି ଉପରେ ବହୁତ ଖୁସି ଅଛି । ଆମେମାନେ ସେହି ସମାଜରେ ରହୁଛୁ, ଯେଉଁଠି ନିଜର କଳାକୁ ସଠିକ୍ ଭାବେ ପ୍ରୋତ୍ସାହନ ମିଳି ପାରୁନାହିଁ । ନିଜସ୍ୱ ହିସାବରେ କହିବାକୁ ଗଲେ ମୁଁ ମୋ ଶରୀର ଠାରୁ ଅଧିକ ଗୁଣରେ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋତେ ଯାହା ଠିକ୍ ଲାଗେ ମୁଁ ସେଇଟା କରେ । ମହିଳାମାନେ ଯେଉଁଠି ବି ତାଙ୍କ ପିଲାଙ୍କୁ ବ୍ରେଷ୍ଟଫିଡିଂ କରାଇ ପାରିବେ । ଏହି ଫଟୋ ଜରିଆରେ ମୁଁ ଲୋକମାନଙ୍କୁ ଏହି କଥା ଜଣାଇବାକୁ ଚାହୁଁଥିଲି । କିନ୍ତୁ ଲୋକମାନେ କିଛି ନବୁଝି ମୋତେ ଟ୍ରୋଲ କରିଦେଲେ ।
ପ୍ରକାଶ ଥାଉ କି, ଅଭିନେତ୍ରୀ ଗିଲୁ ଜୋସଫଙ୍କ ବ୍ରେଷ୍ଟଫିଡ ଫଟୋ ସୁଟ୍ ମାଗାଜିନ୍ କଭର ପେଜରେ ଛପାଯିବା ପରେ ଜନୈକ ବ୍ୟକ୍ତି ଗେଲୁ ଜୋସଫ ଏବଂ ମାଗାଜିନ୍ ବିରୋଧରେ ହାଇକୋର୍ଟରେ ନୋଟିସ ଜାରି କରିଥିଲେ । ଏହି ନୋଟିସ୍ କୁ ହାଇକୋର୍ଟର ବିଚାରପତି ଏଂଟୋନା ଡୋମିନିକ୍ ଏବଂ ଦମା ଶୋଷାଦ୍ରୀ ନାଇଡୁ ପ୍ରମୁଖ ଖାରଜ କରି ଦେଇଥିଲେ । ଏହି ନୋଟିସକୁ ଖାରଜ କରି ବିଚାରପତି କହିଥିଲେ କି, ‘କିଛି ଲୋକଙ୍କ ପାଇଁ ଏହା ଅଶ୍ଲୀଳତା ହୋଇପାରେ କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ କଳାତ୍ମକ । ଏହି ଫଟୋରେ କୌଣସି ଅଶ୍ଲୀଳତା ନାହିଁ, ଅଶ୍ଲୀଳତା ଲୋକମାନଙ୍କ ଆଖିରେ ରହିଛି’ ।