ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଦୀର୍ଘ ଦିନ ଧରି ମୋବାଇଲ୍ ଟାୱାରରୁ ନିର୍ଗତ ହେଉଥିବା କ୍ଷତିକାରକ ବିକିରଣ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରି ଆସୁଛନ୍ତି। ଏ ସମ୍ପର୍କରେ ସେ କୋର୍ଟ ର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଭାରତରେ ୫ ଜି ଟେକ୍ନୋଲୋଜି ଲାଗୁ କରିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଜୁହି ଚାୱଲା, ଯାହାର ପ୍ରଥମ ଶୁଣାଣି ଆଜି ଅର୍ଥାତ୍ ସୋମବାର । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨ ଜୁନ୍ ରେ ହେବ।
ଜୁହି ଚାୱଲାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ଦାବି କରାଯାଇଛି ଯେ ୫ଜି ଟେକ୍ନୋଲୋଜି ଲାଗୁ ହେବା ପୂର୍ବରୁ ଏହା ସହ ଜଡିତ ସମସ୍ତ ପ୍ରକାରର ଅଧ୍ୟୟନକୁ ଯତ୍ନର ସହ ବିଚାର କରାଯିବା ଉଚିତ ଏବଂ ତା’ପରେ ହିଁ ଭାରତରେ ଏହି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିବାର ଧାରଣା ହେବା ଉଚିତ୍।
ସେ କହିଛନ୍ତି କି, ଉନ୍ନତ ଜ୍ଞାନକୌଶଳ ଟେକ୍ନୋଲଜିକୁ ବିରୋଧ କରୁନାହିଁ ବରଂ ଟେକ୍ନୋଲୋଜି ଜଗତରୁ ବାହାରୁଥିବା ଅତ୍ୟାଧୁନିକ ଉତ୍ପାଦକୁ ଆମେ ଉପଭୋଗ କରୁ । ଅବଶ୍ୟ ଏହିଭଳି ଡିଭାଇସ ବ୍ୟବହାର କରିବାକୁ ନେଇ ଦ୍ୱନ୍ଦରେ ରହିଥାଉ କାରଣ ବିନାତାରଯୁକ୍ତ ଗ୍ୟାଜେଟ୍ସ ଏବଂ ନେଟୱର୍କ ସେଲ ଟାୱର୍ସ ସହ ସମ୍ବନ୍ଧିତ ଅଧ୍ୟୟନରୁ ସ୍ପଷ୍ଟ ଭାବେ ଜଣାଯାଇଥାଏ କି ଏହିଭଳି ରେଡିଏସନ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ହାନିକାରକ ।
ଜୁହି ଚାୱଲାଙ୍କ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତରେ ୫ଜି ଟେକ୍ନୋଲୋଜି ଲାଗୁ କରିବା ପୂର୍ବରୁ ମାନବଜାତି, ମହିଳା, ପୁରୁଷ, ବୟସ୍କ, ଶିଶୁ, ପଶୁ, ପ୍ରାଣୀ, ଉଦ୍ଭିଦ ଏବଂ ପରିବେଶ ଉପରେ ପଡିବାକୁ ଥିବା ପ୍ରଭାବକୁ ନେଇ ଅଧ୍ୟୟନ କରାଯାଉ ।