ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ କାହାରିକୁ ଫୋନ୍ କଲେ ଆଉ ଅମିତାଭ ବଚ୍ଚନଙ୍କ ସ୍ୱରରେ କରୋନା କଲର ଟ୍ୟୁନ୍ ଶୁଣିବାକୁ ମିଳିବନି । କରୋନା ଭ୍ୟାକ୍ସିନ ସହ ଜଡିତ କଲର ଟ୍ୟୁନ୍ ଆଜିଠୁ ଜସଲିନ୍ ଭଲ୍ଲାଙ୍କ ସ୍ୱରରେ ଶୁଣିବାକୁ ମିଳିବ । ଏହି କଲର ଟ୍ୟୁନ୍ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଶୁଣାଯିବ । ଏଥିରେ ଟୀକାକରଣ ନେଇ ବାର୍ତ୍ତା ଦିଆଯିବ ।
ଗତ କିଛି ଦିନ ହେବ ଯାହାକୁ ବି ଫୋନ୍ ଲଗାଉଥିଲେ ପ୍ରଥମେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ଅମିତାଭ ବଚ୍ଚନଙ୍କ ସ୍ୱର ବଦଳରେ ଜସଲୀନ୍ ଭଲ୍ଲାଙ୍କ ସ୍ୱର ଶୁଣିବାକୁ ମିଳିବ । ବାସ୍ତବରେ ଅମିତାଭ ବଚ୍ଚନଙ୍କ ସ୍ୱରର କଲର ଟ୍ୟୁନ ହଟାଇବାକୁ ନେଇ ନିକଟରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା କି କଲର ଟ୍ୟୁନ୍ ରେ ଅମିତାଭଙ୍କ ସ୍ୱର ସ୍ଥାନରେ ପ୍ରକୃତ କରୋନା ଯୋଦ୍ଧାଙ୍କ ସ୍ୱର ରହିବା ଉଚିତ୍ ।