ମୁମ୍ବାଇ (ଏଟିଆର ବ୍ୟୁରୋ): ଫୁସଫୁସ କର୍କଟରେ ପୀଡିତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓରଫ ସଞ୍ଜୁ ବାବା ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରବିବାର ଦିନ ସଞ୍ଜୁ ବାବାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ଥିବା କାରଣରୁ ତାଙ୍କର ବିଭିନ୍ନ ପରୀକ୍ଷଣ କରାଯିବ । ତେବେ ପୂର୍ବରୁ ସଞ୍ଜୁବାବା ଶନିବାର ଦିନ ମୁମ୍ବାଇର ଅନ୍ଧେରୀ ସ୍ଥିତ କୋକିଲା ବେନ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯିବା ପରେ ରବିବାର ଦିନ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସଞ୍ଜୁ ବାବା ହସ୍ପିଟାଲ ଯିବାର ଫୋଟ ସୋସିଆଲ ମିଡିଆ ସହ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସଞ୍ଜୁଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ କୌଣସି ଅଟକଳ ନ ଲଗାଇବା ପାଇଁ ସଞ୍ଜୁଙ୍କ ପତ୍ନୀ ମାନ୍ୟତା ଦତ୍ତ ସୋସିଆଲ ମିଡିଆ ମାଧ୍ୟମରେ ଅନୁରୋଧ କରିଥିଲେ । ସୂଚନାନୁଯାୟୀ, ଛାତି ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ସମସ୍ୟା ଉପୁଜିବା ପରେ ଗତ ଅଗଷ୍ଟ ୮ ତାରିଖରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ସଞ୍ଜୁଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଛି ।
ଦୁଇଦିନ ହସ୍ପିଟାଲରେ ରହିବା ପରେ ଅଗଷ୍ଟ ୧୦ରେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ । ସଞ୍ଜୟ ଦତ୍ତଙ୍କୁ କର୍କଟ ହେବାର ନେଇ କୋମଲ ନାହାଟ ଟ୍ୱିଟ କରି ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ ସୁଟିଂରୁ କିଛି ଦିନର ବ୍ରେକ ନେଇଛନ୍ତି । ଆଗକୁ ତାଙ୍କ ସଡକ ୨ ରିଲିଜ ହେବାକୁ ଥିବା ବେଳେ K.G.F 2 , ହେରାଫେରି ୩ ଭଳି ଫିଳ୍ମ ଆସିବାକୁ ଅଛି । ତେବେ ସଞ୍ଜୁ ବାବା ସୁସ୍ଥ ହୋଇ ଖୁବ ଶୀଘ୍ର ସୁଟିଂ ସେଟକୁ ଫେରିବେ ବୋଲି ଆଶା କରାଯାଉଛି ।