ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପ୍ରତ୍ୟେକ ଦିନ କରୋନାର ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଉପର ମୁହାଁ ହୋଇଛି କରୋନା ଗ୍ରାଫ୍ । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାଫଳରେ ଏବେ ପୁଣି ଗୋଟେ ଦିନରେ ଏକ ଲକ୍ଷ ଉପରେ ଚିହ୍ନଟ ହୋଇଛି ମାମଲା । ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୧,୦୩,୫୫୮ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୯,୦୬୭ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୪୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୬୫,୧୦୧ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୧,୧୬,୮୨,୧୩୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୭,୪୧,୮୩୦ ଟି ସକ୍ରିୟ ମାମଲା ରହିଛି ।