(ଏଟିଆର ବ୍ୟୁରୋ): କାଳ ହୋଇଛି କୋଟି କୋଟି ବ୍ୟାଲେଟ ପେପର ଗଣିବା । ଆଜ୍ଞା ହଁ ଇଣ୍ଡୋନେସିଆରେ କୋଟିଏରୁ ଅଧିକ ବ୍ୟାଲେଟ ପେପର ଗଣି ଥକି ଯିବା ଯୋଗୁଁ ୨୭୦ ଲୋକଙ୍କର ମୃତ୍ୟୁ ହୋଇଛି । ନର୍ବାଚନ ଆୟେଗର ପ୍ରବକ୍ତାଙ୍କ ମୁତାବକ, ଏବେ ବି ୧୯୦୦ ଲୋକ ଅସୁସ୍ଥ ଅଛନ୍ତି । ଇଣ୍ଡୋନେସିଆରେ ଖର୍ଚ୍ଚ କରିବା ପାଇଁ ରାଷ୍ଟ୍ରପତି ଏବଂ ସଂସଦୀୟ ନିର୍ବାଚନ ଏକସାଥୀରେ ଅପ୍ରିଲ ୧୭ରେ ହୋଇଥିଲା । ଏଥିରେ ଅଧିକାଂଶ ମାତ୍ରାରେ ମତଦାନ ହୋଇଥିଲା ।
ଇଣ୍ଡୋନେସିଆର ନିର୍ବାଚନ କମିଶନର ପ୍ରବକ୍ତା ଆରିଫ ପିୟୋ ସୁଶାନ୍ତେଙ୍କ ମୁତାବକ, ଭୋଟ ଗଣତି ଏବଂ ଦେଖାରଖା ପାଇଁ ୭୦ ଲକ୍ଷ ଲୋକଙ୍କୁ ନିୟୋଜିତ କରାଯାଇଛି । ଦେଶରେ ୧୯ କୋଟି ୩୦ ଲକ୍ଷ ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ମତଦାନ କରିଛନ୍ତି । ଅଧିକ ମାତ୍ରାରେ ଭୋଟିଂ ହେବା ଯୋଗୁଁ ନିର୍ବାଚନ କର୍ମଚାରୀ ପ୍ରବଳ ଗରମରେ ଦିନ ରାତି ଏକାଠି କରି ଭୋଟ ଗଣିବାରେ ଲାଗିପଡିଛନ୍ତି । ସେଥିପାଇଁ ୨୭୦ କର୍ମଚାରୀ ଥକିଯାଇ ଅସୁସ୍ଥ ହେବା ସହ ତାଙ୍କର ମୃତ୍ୟୁ ହୋଇଛି । ନିର୍ବାଚନ କାର୍ଯ୍ୟରେ ଲାଗିଥିବା କର୍ମଚାରୀମାନେ ସ୍ଥାୟୀ ନୁହଁନ୍ତି । ସେମାନଙ୍କୁ କେବଳ ନିର୍ବାଚନ ପାଇଁ ପୋଷ୍ଟି କରାଯାଇଥିଲା । ସେହି କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିଲା ।
ଏଥିରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିବାର ପକ୍ଷରୁ ସହାୟତା ରାଶି ପାଇଁ ଦାବି କରାଯାଇଥିଲା । ଏବେ ନିର୍ବାଚନ ଆୟୋଗ ସେମାନଙ୍କର ଦାବି ମାନି ନେଇଛନ୍ତି ।