ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନରେ ଏବେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୫୦୦ ଟପିଛି । ସେହିଭଳି ଆକ୍ରାନ୍ତ ସଂଖ୍ୟା ୧୨ ହଜାର ଟପି ଯାଇଛି । ଚୀନର ଗଣମାଧ୍ୟମର ସୂଚନା ଅନୁସାରେ ପ୍ରତିଦିନ ୧ ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ପ୍ରତିଦିନ ଯେଉଁଭଳି ଭାବରେ ବଢିବାରେ ଲାଗିଛି ତାକୁ ନେଇ ଏବେ ଚୀନର ଉହାନ ସହର ସମେତ ଅନ୍ୟାନ୍ୟ ୨୨ ଟି ସହରରେ ଏବେ କଡା କଟକଣା ଜାରି ହୋଇଛି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଭଳି ଭାବରେ ବଢୁଛି ଏଥିପାଇଁ ଚୀନରେ ମେଡିକାଲର ଅଭାବ ପଡି ଗଲାଣି । ଯୁଦ୍ଧକାଳୀନ ଭିତ୍ତିରେ ଚୀନ ମାତ୍ର ୮ ଦିନରେ ଗୋଟିଏ ହସ୍ପିଟାଲ ନିର୍ମାଣ କରିଥିବା ବେଳେ ଆଉ ୮ ଟି ହସ୍ପିଟାଲ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି କରୋନା ପ୍ରତିରୋଧ ପାଇଁ ଆମେରିକା ସମସ୍ତ ସହଯୋଗ କରିବ ବୋଲି ଘୋଷଣା କରିଛି । ସୂଚନାଯୋଗ୍ୟ କରୋନା ଭାଇରସ ସନ୍ଦେହରେ ପୁଣି ଜଣେ ରୋଗୀ କଟକର ଏସିବି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ରୋଗୀ ଜଣଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଚୀନର ହଂକହଂକରେ ଚାକିରି କରିଥିବା ବେଳେ ଏବେ ଓଡିଶା ଫେରିଛନ୍ତି । ଜାନୁଆରୀ ୨୫ ତାରିଖରେ ସେ ଓଡିଶା ଫେରିଥିଲେ ।କେରଳରେ ଏବେ ୩ ଜଣ ଏହି ଭୂତାଣୁ ଆକ୍ରାନ୍ତ ହୋଇ ସାରିଲେଣି ।ଆଗକୁ ଏହା ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ଏହାକୁ ରାଜ୍ୟ ବିପତ୍ତି ବୋଲି ଘୋଷଣା କରିଛି । ପୂର୍ବରୁ ୨ ଜଣ ଚୀନ ଫେରନ୍ତାଙ୍କ ଦେହରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଥିଲା ।