ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିକଟରେ ହୋଟେଲ ସୂର୍ଯ୍ୟାଂଶରେ ପ୍ରବାସୀ ଭାରତୀୟ(ଏନଆରଆଇ)ଙ୍କ ଦ୍ୱାରା ଗଠିତ ହୋଇଥିବା ଗଲ୍ଫ ଓଡିଆ ଆସୋସିଏସନ୍ (ଗୋଆ) ପକ୍ଷରୁ ଦ୍ୱିତୀୟ ବାର୍ଷିକି ବନ୍ଧୁ ମିଳନ ଉତ୍ସବ ଆୟୋଜିତ ହୋଇଯାଇଛି । ଗୋଆ ର ମୁଖ୍ୟ ସଦସ୍ୟ ଅଜୟ କୁମାର ଦାସ, ବନ ବିହାରୀ ମହାନ୍ତି, ପ୍ୟାରୀ ମୋହନ ମଲ୍ଲିକ , ଜୟନ୍ତ ମହାପାତ୍ର,ମିର୍ଜା ମୁସ୍ତାଫା ବେଗ୍ ଏବଂ ଦେବାଶିଷ ରାଉତଙ୍କ ଦ୍ୱାରା ଏହି ଉତ୍ସବ ପରିଚାଳନା କରାଯାଇଥିଲା । ଏହାସହିତ ଅଜୟ କୁମାର ଦାସ ଏବଂ ପ୍ୟାରିମୋହନ ମଲ୍ଲିକ ସଦସ୍ୟଙ୍କୁ ପରିଚିତ କରାଇବା ସହ ମାତୃଭୂମି ଓଡିଶାରେ ଏଭଳି ସଂଗଠନର ଉଦ୍ଦ୍ୟେଶ ପ୍ରତି ଜୋର ଦେଇଛନ୍ତି ।
ଏହି ଅବସରରେ(ଦ୍ୱିତୀୟ ବାର୍ଷିକ ଉତ୍ସବ) ୟୁଏଇ, ସାଉଦି ଆରବ, ବାହାରିନ୍, ଓମାନ ଏବଂ କୁଏତରେ ରହୁଥିବା ବହୁ ଓଡିଆମାନେ ଯୋଗ ଦେଇଥିଲେ । ଏହାର ସ୍ପନ୍ସରସିପ୍ ଦାୟିତ୍ୱରେ ଆଇସିଆଇସିଆଇ ବ୍ୟାଙ୍କଏବଂ ସାଇ ଆର୍ଶିବାଦ ଇନଫ୍ରାଟେକ ଲିମିଟେଡ୍ ରହିଥିଲେ । ବିଦେଶରେ ଓଡିଶା ସଂସ୍କୃତିକୁ ପ୍ରଦର୍ଶନ କରିବା ଲାଗି ଲଗାତର ଭାବେ ଗୋଆ ପକ୍ଷରୁ କାମ ଜାରି ରହିଛି । ଏହାସହିତ ଗୋଆ ପକ୍ଷରୁ ଭୁବନେଶ୍ୱରରେ ଥିବା ଆଶା କିରଣ ଅନାଥାଶ୍ରମକୁ ଆର୍ଥିକ ସହାୟତା କରାଯାଇଥିଲା ।
ଏହି ଅବସରରେ ଓଡିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ମିସ୍ ମନିଶା ମନସ୍ୱିନୀ ନୃତ୍ୟ ପରିବେଶଣ କରିବା ସହିତ ଓଡିଆ ଇଣ୍ଡଷ୍ଟ୍ରିର ଯୁବ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ପ୍ରଜ୍ଞା ହୋତା ଓଡିଆ ଏବଂ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କୁ ମନମୁଗ୍ଧ କରାଇଥିଲେ ।
ପ୍ରବାସୀ ଭାରତୀୟଙ୍କୁ ନେଇ ଗୋଆ ଦ୍ୱାରା ଗଠିତ ହୋଇଥିବା ବିଭିନ୍ନ ସଂଗଠନର ମୁଖ୍ୟ ସମନ୍ୱୟକର୍ତ୍ତା, ଯେପରିକି ଓମାନ ଓଡିଆ ସମାଜର ଦିନବନ୍ଧୁ ସାମଲ, ସାଉଦି କଳିଙ୍ଗର ଶେଖ୍ ସରାଫତ୍, ଉିକ୍ରଳିକାର ଜୟନ୍ତ ମହାପାତ୍ର ଏବଂ ରିୟାଧ ରୋସାର ପ୍ରେସିଡେଣ୍ଟ ରାଜିକ୍ ୱାକିଲ ଆଦି ଯୋଗ ଦେଇ ସଭା ପରିଚାଳନା କରିଥିଲେ । ଶେଷରେ ଅଜୟ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।