ଇଣ୍ଡୋନୋସିଆ (ଏଟିଆର ବ୍ୟୁରୋ ) ; ଇଣ୍ଡୋନୋସିଆରେ ତାଣ୍ଡବ ରଚିଲା ସୁନାମି । ଭୂମିକମ୍ପ ସାଙ୍ଗକୁ ଏବେ ସୁନାମି ଦାଉ ସାଜିଛି । ଏଯାଏଁ ଚାଲିଗଲାଣି ୩୮୪ ଜଣଙ୍କ ଜୀବନ । ଉତ୍ତର ଇଣ୍ଡୋନୋସିଆର ସୁଲାବେସି ଦ୍ୱୀପରେ ଭୂମିକମ୍ପ ଓ ସୁନାମି ଆସିବାରୁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ସମ୍ପୁର୍ଣ୍ଣ ସହର । ଗତକାଲି ୭.୫ ତୀବ୍ରତାରେ ଭୂମିକମ୍ପର ଝଟକା ଅନୁଭୁତ ହେବା ପରେ ଆସିଥିଲା ଭୟଙ୍କର ସୁନାମି । ଯାହା ସହରକୁ ସମ୍ପୁର୍ଣ୍ଣ ଛାରକାର କରିପକାଇଛି ।
ସମୁଦ୍ର ମଧ୍ୟରୁ ୧୮ ଫୂଟର ପାଣି ଉଠି ଭୂପୃଷ୍ଠକୁ ମାଡିଆସି ପ୍ରଳୟ ସୃଷ୍ଟି କରିଥିଲା । ଏହାର ପ୍ରଭାବରେ ବହୁୁ ଧନଜୀବନ ନଷ୍ଟ ହୋଇଯାଇଛି । ସରକାରୀ ଗଣନା ଅନୁସାରେ ଏଯାଏଁ ମୋଟ ୩୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ନିଖୋଜ ରହିଛନ୍ତି । ସୂଚନା ଅନୁସାରେ , ଦଙ୍ଗଲା ସହରଠାରୁ ୩୫ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୃଷ୍ଟି ହୋଇଥିଲା ।
ଗତକାଲି ସୁଲାବେସି ଦ୍ୱୀପରେ ଭୂମିକମ୍ପର ପ୍ରଥମ ଝଟକା ଅନୁଭବ ପରେ ପରେ ଏକାଧିକ ଭୁକମ୍ପ ଝଟକା ଅନୁଭୁତ ହୋଇଥିଲା । ସୁନାମି ଆସିବାର ଅନୁମାନ କରାଯାଇ ଦେଶରେ ସୁନାମି ଆଲର୍ଟ ମଧ୍ୟ ଘୋଷଣା କରାଯାଇଥିଲା । ତେବେ ସୁନାମି ପାଖାପାଖି ୧୮ ମିଟର ଉଚ୍ଚର ସମୁଦ୍ର ପାଣି ଆଣି ସମ୍ପୁର୍ଣ୍ଣ ସହରକୁ ଭାସାଇ ନେଇଛି । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ସୁନାମି ପ୍ରଭାବରୁ ପାଲୁ ସହର ସମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଛି । ଜନବସତି ସମୁଦ୍ର ପାଣିରେ ବୁଡି ରହିଛି । ବିଶେଷକରି ଡାକ୍ତରଖାନା , ହୋଟେଲ , ସପିଂ ମଲ ପ୍ରଭୃତି ବହୁଳ ମାତ୍ରାରେ କ୍ଷତିଗ୍ରସ୍ଥ ହୋଇଛି । ଅନେକ ଘର ଏବେ ମାଟିରେ ମିଶିଯାଇଛି । ଇଣ୍ଡୋନେସିଆ ବିପର୍ୟ୍ୟୟ ପରିଚାଳନା ସଂସ୍ଥା ସୁନାମୀ ଚେତାବନୀ ଜାରି କରିଥିଲେ ବି ତଟବର୍ତୀ ଅଂଚଳକୁ ସୁରକ୍ଷିତ କରାଯାଇପାରିନାହିଁ । ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ସୁନାମି ଓ ଭୂମିକମ୍ପ ପ୍ରଭାବରେ ଇଣ୍ଡୋନୋସିଆର ଆର୍ଥିକ ପ୍ରଗତିରେ ବାଧା ଉପୁଜିବାର ସମ୍ଭାବନା ଅଧିକ ରହିଛି ।