ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ମଣିଷ ଶରୀରରେ ହୃତପିଣ୍ଡ ଏକ ମହତ୍ୱପୁର୍ଣ୍ଣ ଅଙ୍ଗ । ହୃତପିଣ୍ଡ ସୁରକ୍ଷା ଜୀବନ ରକ୍ଷା । ମଣିଷ ଶରୀରରେ ହୃତପିଣ୍ଡ ରୋଗ ବ୍ୟାପକ ମାତ୍ରାରେ ଦେଖିବାକୁ ମିଳୁଛି । ବିଶେଷକରି ହୃଦଘାତର ସମସ୍ୟା ସମଗ୍ର ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ।
ହୃଦଘାତ ମାନୁନି ବୟସ । ସର୍ଭେର ରିପୋଟରୁ ଜଣାପଡିଛି ଯେ ବିଶେଷକରି ୩୦ରୁ ୪୦ ବର୍ଷ ବୟସର ଲୋକମାନଙ୍କୁ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଛି । ଦିନ କୁ ଦିନ ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ହିଁ ହୃଦଘାତର ମୂଳ କାରଣ ପାଲଟିଛି । ୱାଲ୍ଡ ହାର୍ଟ ଫେଡେରେସନର ରିପୋର୍ଟ ଅନୁସାରେ ପ୍ରତିବର୍ଷ ସାରା ବିଶ୍ୱରେ ହୃଦଘାତ କାରଣରୁ ପାଖାପାଖି ୧୭,୭ ନିୟୁତ ଲୋକଙ୍କ ଜୀବନ ହାନି ହେଉଛି । ଯାହା ଏବେ ସମସ୍ୟା ବଢାଇଛି ।
ବିଶେଷକରି ଭାରତରେ ହୋଇଥିବା ସର୍ଭେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଭାରତରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ଉଦବେଗ ଜନକ ରହିଛି । ୧୯୯୦ ମସିହାରୁ ୨୦୧୬ ପର୍ଯ୍ୟନ୍ତ ମୋଟ ୨୬ ବର୍ଷ ମଧ୍ୟରେ ଭାରତରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ଅଚାନକ ଭାବେ ୩୪ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ହୃଦଘାତ ରେ ମୃତ୍ୟୁ ସଂଖ୍ୟାରେ ମହିଳା ମାନେ ଆଗରେ ଅଛନ୍ତି । ମହିଳା ମାନଙ୍କ କ୍ଷେତ୍ରରେ ହୃଦଘାତ ଜନୀତ ସମସ୍ୟା ଅଧିକ ଦେଖାଯାଉଛି । ବିଶେଷ କରି ଅଧିକ କାମର ଚାପ ପାଇଁ ହୃଦଘାତର ସଂଖ୍ୟା ବଢି ବଢି ଚାଲିଛି ।
ପୃଷ୍ଟିକର ଖାଦ୍ୟର ଅଭାବ , ବିଶୃଙ୍ଖଳିତ ଜୀବନ ଶୈଳୀ , ମତ୍ରାଧିକ କାର୍ଯ୍ୟଭାର , ପରିବେଶ ପ୍ରଦୂଷଣ , ମୋଟାପଣ , ଧୁମ୍ରପାନ ଓ ତମାଖୁ ସେବନ ଆଦି ହୃଦଘାତର ବଡ କାରଣ ବୋଲି ଜଣା ପଡିଛି । ବୈଦୁତିକ ଉପକରଣ ବ୍ୟବହାର ବି ହୃଦରୋଗର ଗୋଟିଏ ପ୍ରମୁଖ କାରଣ ପାଲଟିଛି । ହୃଦରୋଗରୁ ନିସ୍ତାର ପାଇବାକୁ ହେଲେ ନିଜେ ନିଜ ଖାଦ୍ୟକୁ ନିୟନ୍ତ୍ରଣ କରିବା ସହ ସମୟ ବ୍ୟବହାରକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ । ବିଶେଷକରି ଖାଦ୍ୟ ,ପାନୀୟ , କାର୍ଯ୍ୟଭାର ,ନିଦ୍ରା ନିୟନ୍ତ୍ରଣ କରାଗଲେ ହୃଦଘାତ ହେବାର ସମ୍ଭାବନା କମ ହେବାର ସମ୍ଭାବନା ଥିବା ଜଣାପଡିଛି ।