ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡ୍ରଗ୍ସ ମାମଲାକୁ ନେଇ ଏବେ ବଲିଉଡରେ ସୃଷ୍ଟି ହୋଇଛି ଝଡ । ଏଥିରେ ଅନେକ ବଡ ବଡ କଳାକାରଙ୍କ ନାଁ ସାମ୍ନାକୁ ଆସୁଛି । ଯେଉଁଥିପାଇଁ ଜୋରସୋରରେ ଚାଲିଛି ଯାଞ୍ଚ । ଏହାରି ମଧ୍ୟରେ ଏକ ସର୍ଭେରୁ ଜାଣିବାକୁ ମିଳିଛି କି ଅଧିକାଂଶ ଡ୍ରଗ୍ସ ପାକିସ୍ତାନରୁ ଭାରତକୁ ଆସିଥାଏ । ସର୍ଭେରେ ସାମିଲ ଥିବା ଗୁଜରାଟ, ପଞ୍ଜାବ ଏବଂ ଦିଲ୍ଲୀରେ ଏନଡିପିଏସ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ୮୭୨ ଡ୍ରଗ୍ସ ପେଡଲରଙ୍କ ମଧ୍ୟରୁ ୮୪ ପ୍ରତିଶତ ପେଡଲର ସ୍ୱୀକାର କରିଛନ୍ତି କି ପଡୋଶୀ ଦେଶ ଖାସକରି ପାକିସ୍ତାନରୁ ଭାରତକୁ ଡ୍ରଗ୍ସ ଆସିଥାଏ ।
ଅନ୍ୟପଟେ ୫.୦୫ ପ୍ରତିଶତ ପେଡଲର କହିଛନ୍ତି କି ନେପାଳରୁ ଡ୍ରଗ୍ସ ଆସେ ଏବଂ ଆଉ ୪.୨୪ ପ୍ରତିଶତ ପେଡଲର କହିଛନ୍ତି କି ଆଫଗାନିସ୍ତାନରୁ ବି ଡ୍ରଗ୍ସ ଆସେ । ସେହିପରି ୨.୫୨ ପେଡଲର ମତରେ ଭାରତକୁ ବାଂଲାଦେଶରୁ ଡ୍ରଗ୍ସ କାରବାର ହେଉଥିବା ବେଳେ ୨.୦୬ ପ୍ରତିଶତ ପେଡଲରଙ୍କ ମତରେ ଶ୍ରୀଲଙ୍କାରୁ ବି ଭାରତକୁ ଡ୍ରଗ୍ସ ଆସେ । ସବୁଠାରୁ ବଡ କଥା ଡ୍ରଗ୍ସ କାରବାର କରିବାର ସହଜ ପ୍ଲାଟଫର୍ମ ହେଉଛି ବାର ଏବଂ ପବ । ସେହିପରି ହୋଟେଲ, ରେଷ୍ଟୁରାଣ୍ଟମାନଙ୍କରେ ବି ଡ୍ରଗ୍ସ ସପ୍ଲାଇ କରାଯାଇଥାଏ ।