ଅମେରିକା (ଏଟିଆର ବ୍ୟୁରୋ ) ; ଶେଷରେ ମଙ୍ଗଳରେ ପହଞ୍ଚିଲା ମଙ୍ଗଳଯାନ । ଏଣିକି ମନୁଷ୍ୟକୁ ମିଳିବ ମଙ୍ଗଳ ଗ୍ରହର ରହସ୍ୟ । ଇନସାଇଟ ପ୍ରୋ ପୃଥିବୀକୁ ଦେବ ମଙ୍ଗଳ ଗ୍ରହର ବହୁ ଅଜଣା ତଥ୍ୟ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳକୁ ପଠାଇଥିବା ମହାକାଶଯାନ ଇନସାଇଟ ପ୍ରୋ ଗତକାଲି ରାତିରେ ସଫଳତାର ସହ ମଙ୍ଗଳ ପୃଷ୍ଠରେ ପାଦ ଥାପିଛି । ଏଭଳି ଖବର ପ୍ରକାଶିତ ହେବା ପରେ ନାସାର ବୈଜ୍ଞାନିକଙ୍କ ସମେତ ଆମେରିକା ବାସୀ ଖୁସିବ୍ୟକ୍ତ କରିଛନ୍ତି ।
ପ୍ରାୟ ୪ ହଜାର କୋଟି କିଲୋମିଟର ଦୂରତାକୁ ଅତିକ୍ରମ କରି ଶେଷରେ ଏହି ମହାକାଶଯାନ ମଙ୍ଗଳରେ ପହଞ୍ଚିପାରିଛି । ଏଥିପାଇଁ ଇନସାଇଟ ପ୍ରୋକୁ ପୂରା ୭ ମାସ ସମୟ ଲାଗିଛି । ଗତ ମେ ମାସରେ ମଙ୍ଗଳକୁ ଏହି ମହାକାଶଯାନ ପ୍ରେରଣ କରାଯାଇଥିବା ବେଳେ ଏହା ଆଗାମୀ ଦୁଇବର୍ଷ ଧରି ମଙ୍ଗଳ ପୃଷ୍ଠରେ କାମ କରିବ ବୋଲି ଜଣାପଡିଛି । ମଙ୍ଗଳ ଗ୍ରହରେ ଘଟୁଥିବା ପ୍ରତ୍ୟେକ ତଥ୍ୟକୁ ନାସାକୁ ପ୍ରେରଣକରିବ ଏହି ଯାନ । ଯାହାଦ୍ୱାରା ପୃଥିବୀକୁ ମଙ୍ଗଳ ଗ୍ରହ ବାବଦରେ ଅନେକ ରୋଚକ ତଥ୍ୟ ମିଳିପାରିବ ବୋଲ ଆଶା କରାଯାଉଛି । ତେବେ ଏଭଳି ସଫଳତା ପାଇବାପରେ ନାସା ବୈଜ୍ଞାନିକଙ୍କ ମଧ୍ୟରେ ଖୁସୀର ଲହଡି ଖେଳିଯାଇଛି ।
ସେପଟେ ଗତକାଲିର ଇନସାଇଟ ପ୍ରୋର ଅନ୍ତିମ ଯାତ୍ରା ଅତ୍ୟନ୍ତ କଠିନ ଥିଲା । ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଇନସାଇଟ ପ୍ରୋକୁ ୧୨୫ କିଲୋମିଟରର ଦୂରତାକୁ ମାତ୍ର ୬ ମିନିଟ ୩୦ ସେକେଣ୍ଡରେ ସାରିବାକୁ ଥିଲା । ଯାହାକୁ ନେଇ ବୈଜ୍ଞାନିକ ମାନେ ଚିନ୍ତାରେ ପଡିଯାଇଥିଲେ ।
ତେବେ ପରେ ଯାନଟିର ବେଗ ବଢାଇଦିଆଯାଇଥିଲା ।ପ୍ରବଳ ବେଗ କାରଣରୁ ମହାକାଶଯାନଟି ଧ୍ୱଂସ ହେବାର ମଧ୍ୟ ଯଥେଷ୍ଠ ସମ୍ଭାବନା ଥିଲା । କିନ୍ତୁ ମହାକାଶଯାନର ବେଗ କମାଇବା ଲାଗି ବୈଜ୍ଞାନିକମାନଙ୍କ ଦ୍ୱାରା ଶେଷ ମୁହୁର୍ତ୍ତରେ ପାରାଚ୍ୟୁଟ ଓ ବ୍ରେକିଂ ଇଞ୍ଜିନର ବ୍ୟବହାର କରାଯାଇଥିଲା । ଫଳରେ ଇନସାଇଟ ପ୍ରୋ ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ହୋଇପାରିଥିଲା । ଇନସାଇଟ ପ୍ରୋ ଦ୍ୱାରା ଶେଷରେ ସୁରକ୍ଷିତ ଅବତରଣ ଜନିତ ସିଗନାଲ ନାସାକୁ ପଠାଯାଇଥିଲା । ଏହାପରେ ନାସାର ବୈଜ୍ଞାନିକ ମାନେ ନିଜ ସଫଳତା ପାଇଁ ଖୁସୀବ୍ୟକ୍ତ କରିଥିଲେ ।