ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣ ଘରମାନଙ୍କ ବିଭିନ୍ନ ଖାଦ୍ୟରେ ପୁଦିନା ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଖାଦ୍ୟର ସ୍ୱାଦ ବୃଦ୍ଧି ହୋଇଥାଏ । ଏହାସହିତ ପୁଦିନା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର । ଏହାଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଛୁଟକାରା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ପୁଦିନାର ସ୍ୱାସ୍ଥ୍ୟଗତ ଫାଇଦା ବିଷୟରେ..
ଯଦି ଆପଣଙ୍କ ପେଟ ବିନ୍ଧା ହେଉଥାଏ ତେବେ ପୁଦିନାକୁ ଛେଚି ପାଣିରେ ମିଶାଇ ଦିଅନ୍ତୁ ପୁଣି ସେହି ପାଣିକୁ ଛାଣି ପିଅନ୍ତୁ । ସେହିପରି ପୁଦିନା ପତ୍ରରୁ ରସ ବାହାର କରି ସେଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ଗୋଟେଦିନରେ ଅତିକମରେ ତିନି ଥର ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆରାମ ଅନୁଭବ ହେବ ।
ଯଦି ଆପଣଙ୍କ ପାଟିରୁ ସର୍ବଦା ଦୁର୍ଗନ୍ଧ ବାହାରୁଥାଏ ତେବେ ଏହାକୁ ଦୂର କରିବା ପାଇଁ ଆପଣ ପୁଦିନା ପତ୍ର ଚୋବାଇ ପାରିବେ । ଏହାଦ୍ୱାରା ଆପଣଙ୍କ ପାଟିରୁ ଆଉ ଦୁର୍ଗନ୍ଧ ବାହାରିବ ନାହିଁ ।
ସେହିପରି ଯଦି ଗଳାରେ କୌଣସି ପ୍ରକାରର ସମସ୍ୟା ଉପୁଜୁଛି ତେବେ ପାଣିରେ ପୁଦିନା ପତ୍ର ଫୁଟାଇ ସେଥିରେ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ । ସେହି ପାଣିରେ ଗାର୍ଗିଲିଙ୍ଗ କରିବା ଦ୍ୱାରା ଗଳା ସମସ୍ୟାରୁ ଆରାମ ମିଳିବ ।