ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବେ ବିଶିଷ୍ଠ ଅନୁବାଦକ ଡାକ୍ଟର ଅଜୟ କୁମାର ପଟ୍ଟନାୟକ । ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପୁସ୍ତକ ପାଇଁ ୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବେ ଅଜୟ । ଏହି ପୁସ୍ତକରେ ରାଜା ରାଧିକାରମଣ ପ୍ରସାଦ ସିଂହ, ପ୍ରେମଚନ୍ଦ, ୟଶପାଲଙ୍କଠାରୁ ଭୀଷ୍ମ ସାହାଣୀଙ୍କ ପର୍ୟ୍ୟନ୍ତ ୨୫ ଜଣ ବିଶିଷ୍ଟ ହିନ୍ଦୀ ଲେଖକଙ୍କ ପ୍ରତିନିଧିମୂଳକ ହିନ୍ଦୀ ଗଳ୍ପର ଓଡ଼ିଆ ଅନୁବାଦ ସଙ୍କଳିତ ହୋଇଛି।
ଏନେଇ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି ।
ଅଜୟଙ୍କୁ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରେ ଲେଖିଛନ୍ତି ଯେ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଠ ଅନୁବାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ମୋର ଅଭିନନ୍ଦନ । ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ସଫଳତା ଓଡିଶା ପାଇଁ ଗୌରବର ବିଷୟ । ତାଙ୍କର ସାହିତ୍ୟ ସୃଷ୍ଟି ଗୁଡିକ ଓଡିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଅନୁବାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗୌରବର ବିଷୟ। ତାଙ୍କର ସାହିତ୍ୟ ସୃଷ୍ଟି ଗୁଡିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ।
— Naveen Patnaik (@Naveen_Odisha) February 25, 2020
ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ୱିଟ୍ ରେ ଲେଖିଛନ୍ତି ଯେ, ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଁ ବିବେଚିତ ହୋଇଥିବା ବିଶିଷ୍ଠ ଅନୁବାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ମୋର ଅଭିନନ୍ଦନ ।
ତେବେ ଏହି ପୁରସ୍କାର ପାଇଁ ମନୋନିତ ହୋଇଥିବାରୁ ଅଜୟ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଅନେକ ପୁରସ୍କାର ପାଇଥିଲେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇ ନଥିବାରୁ ତାଙ୍କ ମନରେ ଅବସୋସ ଥିଲା । ଜଣେ ସାହିତ୍ୟିକ ପାଇଁ ଏହି ପୁରସ୍କାର ସବୁ ଠାରୁ ବଡ ପୁରସ୍କାର ବୋଲି ଅଜୟ କହିଛନ୍ତି ।