ଭୋପାଳ ( ଏଟିଆର ବ୍ୟୁରୋ): କିଏ ଜାଣିଥିଲା ଏମିତି ହବ । ଶ୍ରୀ ଗଣେଶଙ୍କୁ ବିସର୍ଜନ କରିବାକୁ ଯାଇ ନିଜେ ହୋଇ ଯିବେ ସମାଧି । ଆଜି ସକାଳୁ ସକାଳୁ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ । ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ଉଦ୍ଧାର କରିବା ସହ ୫ଜଣଙ୍କୁ ଉଦ୍ଧାର କରିଛନ୍ତି । ଆଜି ଭୋରୁ ଏହି ଅଘଟଣ ହୋଇଥିବା ସୂଚନା ମିଳିଛି ।
ଖବର ମୁତାବକ ଏକ ପୂଜା କମିଟି ପକ୍ଷରୁ ଭଗବାନ ଗଣେଶଙ୍କ ପୂଜା ପରେ ବିରାଟ ଶୋଭାଯାତ୍ରାରେ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା । ପୂଜା କମିଟିର ବହୁ ସଦସ୍ୟ ଡଙ୍ଗାରେ ବସି ବିସର୍ଜନ ପାଇଁ ହ୍ରଦ ଭିତରକୁ ଯାଇଥିଲେ । ଡଙ୍ଗାଟି ଛୋଟ ହୋଇଥିବାବେଳେ ମୂର୍ତ୍ତି ବିସର୍ଜନବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।ଫଳରେ ମଝି ନଈରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ତଳେ ଚାପି ହୋଇଯାଇଥିଲେ। ଖବର ପାଇ ପୋଲିସ୍ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ।
ଉଦ୍ଧାରକାରୀ ଦଳ ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏବେ ବି ୪ ଜଣ ନିଖୋଜ ଥିବା ସୂଚନା ରହିଛି । ତେବେ ଏହି ଘଟଣାରେ ରାଜ୍ୟ ସରକାର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ।