ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱଦେଶ ଫେରିଲେ ୧୧୯ ଭାରତୀୟ । କୋରନା ଭାଇରସର ଆତଙ୍କ ଚୀନରୁ ଆରମ୍ଭ ହୋଇଥିବା ବେଳେ ଏହା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କୋରନା ଆକ୍ରାନ୍ତ ସନ୍ଦେହରେ ବାହାର ଦେଶରେ ଫଶି ରହିଥିବା ଲୋକମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ ଜାପାନର ୟୋକୋହମା ବନ୍ଦରରେ କୋରନା ଆକ୍ରାନ୍ତ ସନ୍ଦେହରେ ଫସି ରହିଥିବା ୧୧୯ଜଣ ଭାରତୀୟ ଆଜି ସ୍ୱଦେଶକୁ ଫେରିଛନ୍ତି ।
ସେମାନଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି । ୧୧୯ଜଣ ଭାରତୀୟଙ୍କ ସମେତ ୫ଜଣ ବିଦେଶୀ ମଧ୍ୟ ରହିଥିବା ସୂଚନା ମିଳିଛି । ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା , ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ରହିଛନ୍ତି । ତେବେ ସ୍ୱଦେଶ ଫେରିଥିବା ୧୧୯ଜଣଙ୍କ ମଧ୍ୟରେ ଓଡିଶାର ଶିବାଶିଷ ନାୟକ ମଧ୍ୟ ରହିଛନ୍ତି । ପୁଅର ଫେରିବା ଖବର ମିଳିବା ପରେ ବାପା ଲିଙ୍ଗରାଜ ଖୁବ ଆଶ୍ୱସ୍ତ ଥିବା ସହ କହିଛନ୍ତି , ଭାରତ ଫେରିବା ପରେ ସେ ପୁଅ ସହ ଫୋନ ଯୋଗେ କଥା ହେଇଛନ୍ତି ।
ତେବେ ଜାପାନରେ କରୋନା ଟେଷ୍ଟ ନେଗେଟିଭ ଆସିଥିବା ସତ୍ୱେ ଭାରତ ଫେରିବା ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ଟେଷ୍ଟ କରାଯିବା ପରେ ହିଁ ସେମାନଙ୍କୁ ଛଡାଯିବ । ତେଣୁ ପୁଅ ଘରକୁ ଫେରିବାରେ ବିଳମ୍ବ ହେବ ବୋଲି ବାପା ଲିଙ୍ଗରାଜ ସୂଚନା ଦେଇଛନ୍ତି । ଅନ୍ୟପଟେ ଯାତ୍ରୀମାନଙ୍କର ଫେରିବା ପାଇଁ ଜାପାନ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି ।