ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ପୁଣି ଅଶାନ୍ତ ହେଲା ଜାମ୍ମୁକାଶ୍ମୀର ଘାଟି । କାଶ୍ମୀର ସୋଫିଆରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି ସକାଳୁ ଗୁଳି ବିନିମୟ ଆରମ୍ଭ ହୋଇଥିବା ସୂଚନା । ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ପଣ୍ଡୋସାନ ଗାଁ ନିକଟ ଜଙ୍ଗଲକୁ ପହଂଚିଥିଲେ । ସୁରକ୍ଷାବାହିନର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ସଂପୃକ୍ତ ଅଂଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।
ଅନ୍ୟପଟେ ଜମ୍ମୁ ଓ କଶ୍ମୀରରେ ଗତକାଲିଠାରୁ ସୁରକ୍ଷାକର୍ମୀମାନେ ପହଞ୍ଚିବାରେ ଲାଗିଛନ୍ତି। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯାଉଛି। ଏହି କେନ୍ଦ୍ରୀୟ ଫୋର୍ସ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମୁକାବିଲା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତ ସପ୍ତାହରେ କାଶ୍ମୀର ଘାଟି ପରିଦର୍ଶନରେ ଯାଇ ଫେରିବା ପରେ ଗୃହ ମନ୍ତ୍ରୀ ଅମିତ ଶାହା କାଶ୍ମୀର ଘାଟିରେ ସୈନ୍ୟ ଠୁଳ କରିବାରେ ଲାଗିଛନ୍ତି । ପ୍ରଥମ ଦଫାରେ ୧୦ହଜାର ଅତିରିକ୍ତ ସୈନିକ ଘାଟିରେ ମୁତୟନ ହୋଇଥିବାବେଳେ ଗତକାଲି ଆଉ ୨୫ହଜାର ସୈନିକ ଗୃମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁତୟନ ହୋଇଛନ୍ତି ।
ଏତେ ପରିମାଣରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀ ମାନେ ମଧ୍ୟ ପ୍ରତିକ୍ରିୟା ଶୀଳ ହୋଇ ଉଠିଥିବା ଜଣା ପଡିଛି । ଯାହା ଫଳରେ ସେମାନେ ଏକ ବଡ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେବେ ଆଗକୁ ସେନା ପକ୍ଷରୁ ଏକ ବଡ ଧରଣର ଅପରେସନ କରାଯାଇ ପାରେ ବୋଲି ଆଲୋଚନା ହେଉଛି । କାଶ୍ମୀର ଘାଟିରେ ପୁଣି ପୁଲଓ୍ବାମା ଭଳି ଆତଙ୍କୀ ହମଲା ହେବାର ଗୁଇନ୍ଦା ସୂଚନା ରହିଥିବା ଯୋଗୁଁ ସରକାର ତାର ମୁକାବିଲା ପାଇଁ ସୈନ୍ୟ ଠୁଳ କରୁଥାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି ।
କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଉମର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି କାଶ୍ମୀର ଘାଟିର ସ୍ଥିତି ସଂପର୍କରେ ଅବଗତ କରାଇଥିବା ସୂଚନା ମିଳିଛି । ଆଜି ସକାଳୁ ସୋପିଆଁ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ ମଧ୍ୟ ଗୁଳିବିନିୟମ ଜାରି ରହିଥିବା ବେଳେ ଜଣେ ଯବାନ ସହିଦ ହୋଇଥିବା ସୂୂଚନା ମିଳିଛି ।