ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଟମାଟର ଓ ପିଆଜ ଏବେ ସାରା ଦେଶରେ ହୋଇଯାଇଛି ଅମୁଲ ମୂଲ । ସତେ ଯେମିତି ପଖାଳ କଂସା ପାଖରେ ପିଆଜ କନ୍ଦାଉଛି ଆଉ ପରିବା ଝୁଡିରେ ଟମାଟର ଥଟା କରି କହୁଛି ବାପାରେ ମତେ ଛୁଉଁନା । ଆମେ ଏ କଥା କହିବାର ମୁଖ୍ୟ କାରଣ ହେଉଛି ସାରା ଦେଶରେ ଏବେ ପିଆଜ ଆଉ ଟମାଟ ହୁ ହୁ ହୋଇ ବଢୁଛି । ଖାଲି ଯେ ଆମ ରାଜ୍ୟରେ ପିଆଜ ଟମାଟର ଦର ଆକାଶ ଛୁଆଁ ହୋଇଛି ତା ନୁହେଁ ଆହୁରି ମଧ୍ୟ କେତେକ ରାଜ୍ୟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି ।
ରାଜଧାନୀ ଦିଲ୍ଲୀକୁ ଯଦି ଆମେ ନଜର ପକାଇବା ତେବେ ଗତ କିଛିଦିନ ତଳେ ମାତ୍ର ୩୦ ରୁ ଚାଳିଶ ଟଙ୍କାରେ ମିଳୁଥିବା ଟମାଟର ଦର ଏବେ ୮୦ ଟଙ୍କାରେ ପହଞ୍ଚିଛି । ପିଆଜ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ୩୦ ରୁ ୪୦ ଟଙ୍କାରେ ମିଳୁଥିବା ପିଆଜ ଦର ଏବେ ୬୦ ଟଙ୍କାରେ ପହଞ୍ଚିଛି । ସୂଚନାଯୋଗ୍ୟ ପିଆଜ ମଣ୍ଡିରେ ଏବେ ପିଆଜ ଦର ୪୦ ଟଙ୍କାରୁ ମଧ୍ୟ ଅଧିକ ରହିଛି ।
ଦିଲ୍ଲୀର ଆଜାଦପୁର ପିଆଜ ଡିପୋରେ ପିଆଜ କିଲୋପ୍ରତି ୩୦ ରୁ ୪୦ ଟଙ୍କା ରହିଛି । ତେବେ ଏହାକୁ ନେଇ ପିଆଜ ଚାଷୀଙ୍କ କହିବା କଥା ଚଳିତ ବର୍ଷ ଅଧିକ ପରିମାଣରେ ବର୍ଷା ହେବାରୁ ଏହାର ସିଧା ପ୍ରଭାବ ପଡିଛି ପିଆଜ ଚାଷ ଉପରେ । ଚଳିତ ବର୍ଷାରେ ଅନେକ ସ୍ଥାନରେ ପିଆଜ ଫସଲ ସମ୍ପୂର୍ଣ୍ଣ ବର୍ବାଦ ହୋଇଯାଇଛି । ତେଣୁ ଏହାର ସିଧା ପ୍ରଭାବ ଏବେ ବଜାର ଉପରେ ପଡୁଛି ।