ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶକୁ କଲବଲ କରୁଛି କରୋନା । ଏହି ମାରାତ୍ମକ ଭାଇରସ ପାଇଁ ଏବେ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କାରଣ ଏହି ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି । ଇତିମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ଆଜ୍ଞା ହଁ ମାର୍ଚ୍ଚ ୨୦ରେ ଏୟାର ଏସିଆ ବିମାନ ଆଇ୫-୭୩୨ ପୁଣେ ବିମାନ ବନ୍ଦରରୁ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଥିଲା । ବିମାନରେ ସମସ୍ତ ଯାତ୍ରୀ ବସି ଯାଇଥିଲେ । ସେହି ସମୟରେ ସବୁଠାରେ ଆଗ ପଂକ୍ତିରେ ବସିଥିବା ଜଣେ ଯାତ୍ରୀ ଛିଙ୍କିବା ଆରମ୍ଭ କରି ଦେଇଥିଲେ । ଏହାପରେ ବିମାନ ଭିତରେ ସମସ୍ତ ଯାତ୍ରୀ ଡରି ଯାଇଥିଲେ । କେବଳ ଏତିକି ନୁହେଁ କକପିଟ୍ ରେ ବସିଥିବା ପାଇଲଟ ଜଣଙ୍କ ଭୟରେ ଏମରଜେନ୍ସି ଗେଟ୍ ପଟେ ତଳକୁ ଡେଇଁ ପଡିଥିଲେ । ବିମାନରୁ ଏଭଳି ପାଇଲଟ ଭାଗିବା ପରେ ବିମାନର କ୍ରୁ ସଦସ୍ୟମାନେ ବି ପଛ ପଟ ଡୋର ଖୋଲି ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରିଦେଲେ । କେବଳ ସନ୍ଦିଗ୍ଧ ଯାତ୍ରୀଙ୍କ ପାଇଁ ଆଗ ପଟ ଡୋର ଖୋଲା ଗଲା । ଏହାପରେ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଗଲା ଏବଂ ସମସ୍ତଙ୍କର ନେଗେଟିଭ୍ ବାହାରିଲା ।
ଏନେଇ ଏୟାର ଏସିଆର ପ୍ରବକ୍ତା କହିଛନ୍ତି, ମାର୍ଚ୍ଚ ୨୦ ରେ ପୁଣେ-ଦିଲ୍ଲୀ ବିମାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । କରୋନା ଭାଇରସକୁ ନେଇ ଏବେ ସମସ୍ତେ ସତର୍କ । ସେଥିପାଇଁ ସମସ୍ତ ଯାତ୍ରୀଙ୍କର ମେଡିକାଲ ସ୍କ୍ରିନିଂ କରାଯାଇଛି ଏବଂ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି ।