ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଓ ପାକିସ୍ତାନ ଭିତରେ ଲାଗି ରହିଥିବା କାଶ୍ମୀର ବିବାଦରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ଭାରତ ଯଦି ଚାହିଁବ ଏହି ବିବାଦର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥତା କରିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେ ଏବେ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯଦି ଦୁଇ ଦେଶ ଚାହିଁବେ ତେବେ ମୁଁ ଏଥିରେ ମଧ୍ୟସ୍ଥତା କରିବି ।
ଉଭୟଙ୍କ ସହ କଥା ହୋଇଛି, ତେବେ ଏହି ମାମଲାରେ ମଧ୍ୟସ୍ଥତା ପାଇଁ ରାଜି ହେବେ କି ନାହିଁ ତାହା ଉଭୟଙ୍କ ଉପରେ ନିର୍ଭର କରୁଛି । ସେହିଭଳି ଭାରତ ପକ୍ଷରୁ ଏହାକୁ ଖାରଜ କରାଯିବା ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି ‘ମୁଁ ମଧ୍ୟସ୍ଥି ହେବି କି ନାହିଁ, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିକଟରେ ଭେଟିଥିଲି । ମୋ ଚିନ୍ତାଧାରାରେ ଉଭୟ ଖାଁ ଓ ମୋଦୀ ଚମତ୍କାର ବ୍ୟକ୍ତି। ମୁଁ ଭାବୁଛି ଉଭୟଙ୍କ ମଧ୍ୟରେ ଭଲ ପଡ଼ିବ। ସେମାନେ ଯଦି ଚାହିଁବେ କେହି ମଧ୍ୟସ୍ଥତା କରି ସେମାନଙ୍କୁ ସହାୟତା କରୁ ତେବେ ମୁଁ ପ୍ରସ୍ତୁତ।
ସୂଚନାଯୋଗ୍ୟ ଗତ ସପ୍ତାହରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ କାଶ୍ମୀର ପ୍ରସଙ୍ଗରେ ନେଇ ଆମେରିକା ରାଷ୍ଟ୍ରପତି ଆଲୋଚନା କରିଥିଲେ । ଏହାକୁ ପାକିସ୍ତାନ ସ୍ବାଗତ କରିଥିଲା । ଭାରତ କିନ୍ତୁ ଏହାକୁ ପୂର୍ବରୁ ବିରୋଧ କରି ଆସୁଛି । ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦ ଶେଷ ନ କରିବା ପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ ଭାରତ ସ୍ପଷ୍ଟ କରିଥିଲା ।