ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ସେନାର ବର୍ଦ୍ଧିତ ସକ୍ରିୟତାକୁ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ ତାଙ୍କ ପ୍ର୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଯଦି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୁରକ୍ଷା ବଳ ବଢାଉଛି ତେବେ ତାହା ସେମାନଙ୍କର ନିଷ୍ପତି । ସମସ୍ତ ଦେଶ ନିଜ ନିଜ ହିସାବରେ କାର୍ଯ୍ୟ କରିଥାନ୍ତି । ଆମେ ଏନେଇ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ । ଯେଉଁଠି ସେନା ଏବଂ ଅନ୍ୟ ସେବାର ପ୍ରଶ୍ନ ଉଠୁଛି ସେଠି ଆମକୁ ପ୍ରସ୍ତୁତ ରହିବାକୁ ପଡିବ ।
କାଶ୍ମୀରରୁ ସାମ୍ବିଧାନକ ଧାରା ୩୭୦ ହଟିବା ପରେ ଉପୁଜିଥିବା ସ୍ଥିତିକୁ ନେଇ ସେନା ପ୍ରମୁଖ ବିପିନ୍ ରାୱତ କହିଛନ୍ତି କି, ପୂର୍ବଭଳି କାଶ୍ମୀର ଲୋକଙ୍କ ସହିତ ଆମର କଥାବାର୍ତ୍ତା ରହିଛି । ଆମେ ପୂର୍ବରୁ ବି ସେମାନଙ୍କ ସହ ବିନା ବନ୍ଧୁକରେ ସାକ୍ଷାତ କରିଥାଉ । ଯଦି ସବୁ କିଛି ଠିକ୍ ଠାକ୍ ରହୁଛି ତେବେ ଆମେ ସେମାନଙ୍କ ସହିତ ପୂର୍ବଭଳି ମିଳା ମିଶା କରି ପାରିବୁ ।
ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ କହିଥିଲେ କି , ଯଦି ପୁଲୱାମା ଭଳି ଭାରତରେ ହମଲା ହେଉଛି ତେବେ ଏଥିପାଇଁ ଇସଲାମବାଦ୍ ଦାୟୀ ହେବ ନାହିଁ । ଇମରାନଙ୍କ ଏହି ବୟାନରେ ପ୍ରତ୍ୟେକ୍ଷ ଭାବେ ଜୈଶ ଅହମ୍ମଦ ଏବଂ ଲକ୍ସର ଏ ତୋଏବା ତଥା ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ କୁ ଦ୍ୱିତୀୟ ଥର ସକ୍ରିୟ ହେବା ପାଇଁ କ୍ଲୁ ଦିଆଯାଇଛି ।