ପଶ୍ଚିମବଙ୍ଗ ( ଏଟିଆର ବ୍ୟୁରୋ) : ଯାଦବପୁର ବିଶ୍ୱ ବିଦ୍ୟାଳୟରେ ଏବିଭିପିର ଏକ କାର୍ଯ୍ୟକ୍ରମର ଅତିଥି ଭାବେ ଯୋଗ ଦେବାକୁ ଯାଇଥିବା ବେଳେ କେନ୍ଦ୍ର ପରିବେଶ ଜଙ୍ଗଲମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ କିଛି ବିରୋଧୀ ଛାତ୍ରଛାତ୍ରୀ ବିରୋଧ କରିବା ସହ ଟଣା ଓଟରା କରିଛନ୍ତି । ଉତ୍ୟକ୍ତ ଛାତ୍ରମାନେ ବାବୁଲ ସୁପ୍ରିୟୋଙ୍କୁ ଅଟକ ମଧ୍ୟ ରଖିଥିଲେ । ପରେ ରାଜ୍ୟପାଳ ନିଜେ ଛାତ୍ରଙ୍କ କବଳରୁ ସାଂସଦଙ୍କୁ ତାଙ୍କ କାରକୁ ଉଠାଇ ନେଇଥିଲେ ମଧ୍ୟ ଛାତ୍ରମାନେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କୁ କାର ସହ ଘେରାଉ କରି ରଖିଥିଲେ।
ଦିନ ୨.୩୦ରୁ ଆରମ୍ଭ କରି ଦୀର୍ଘ ୫ ଘଣ୍ଟା ଯାଏ ଏଭଳି ସ୍ଥିତି ଜାରି ରହିଥିଲା। ବାମ ଦଳଙ୍କ ସହ ଜଡ଼ିତ କିଛି ଛାତ୍ର ସଂଗଠନ ଏଥିରେ ଜଡ଼ିତ ଥିବା ଜଣାପଡିଛି । ଉତ୍ୟକ୍ତ ଛାତ୍ରମାନେ ‘ଫେରିଯାଅ ଫେରିଯାଅ’ ସ୍ଲୋଗାନ ଦେଇ ତାଙ୍କ କାରକୁ ଅଟକାଇଥିଲେ। ବିଶ୍ୱ ବିଦ୍ୟାଳୟର କୂଳପତି କୌଣସି ପ୍ରକାରେ ଉତ୍ୟକ୍ତ ଛାତ୍ରଙ୍କ ପାଖରୁ ବାବୁଲଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଯାଇଥିଲେ ।
ସେଠାରେ ମଧ୍ୟ ବହୁ ସମୟ ଧରି ଛାତ୍ରମାନେ କାର୍ଯ୍ୟାଳୟକୁ ଘେରାବନ୍ଦୀ କରି ରଖିଥିଲେ । ପରେ ଏନେଇ ରାଜ୍ୟପାଳ ସୂଚନା ପାଇବା ପରେ ପ୍ରଶାସନ ସହ ଘଟଣାସ୍ଥଳରେ ପହଞ୍ଚି ସାଂସଦଙ୍କୁ ଛାତ୍ରଙ୍କ କବଳରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।
ଏହି ଘଟଣା ପରେ ଏବିଭିପିର ଛାତ୍ରମାନେ ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କଲେଜ କ୍ୟାମ୍ପସରେ ପୋଲିସ ନିୟୋଜିତ ହୋଇଛନ୍ତି । କାଲିର ଘଟଣାକୁ ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଏହା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି । ଅନ୍ୟପଟେ ବାବଉଳ ସୁପ୍ରିୟୋ କହିଛନ୍ତି ଆକ୍ରମଣ ବେଳେ ଆକ୍ରମଣକାରୀ ମାନେ ନିଜକୁ ନକ୍ସଲ ବୋଲି କହୁଥିଲେ ।