ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ମାତ୍ ଦେବା ପାଇଁ ଭାରତରେ ଜୋର-ସୋରରେ ଟୀକାକରଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଏବେ ଭ୍ୟାକ୍ସିନେସନ ସହ ଜଡିତ ସାର୍ଟିଫିକେଟ ବି ଜାରି କରିଛନ୍ତି ସରକାର । ଯାହାକୁ ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କୁ ଦିଆଯିବ । ଏହି ସାର୍ଟିଫିକେଟ କ୍ୟୁଆର କୋଡ ସହ ସଜିତ ହେବ । ଏହି କୋଡ ମାଧ୍ୟମରେ ଟୀକା ଲଗାଉଥିବା ବ୍ୟକ୍ତିଙ୍କ ପରିଚୟ ସହ ଜଡିତ ସମସ୍ତ ତଥ୍ୟ ସୁରକ୍ଷିତ କରାଯିବ ।
ସ୍ୱାସ୍ଥ୍ୟମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ପ୍ରତ୍ୟେକ ସାର୍ଟିଫିକେଟରେ ଟୀକାର ବ୍ୟାଚ୍ ନମ୍ବର ଲେଖା ହେବ । ଜଣେ ବ୍ୟକ୍ତିଙ୍କୁ ଅତିକମରେ ଦୁଇରୁ ତିନୋଟି ଡୋଜ୍ ଦିଆଯାଇପାରେ । ପ୍ରତ୍ୟେକ ଡୋଜ୍ ର ବ୍ୟାଚ୍ ନମ୍ବର ଭ୍ୟାକ୍ସିନେଟର, ଟୀକାକରଣର ସ୍ଥାନ ଏବଂ ତାରିଖ ସାର୍ଟିଫିକେଟରେ ଲେଖିବା ବାଧ୍ୟତାମୂଳକ । କ୍ୟୁଆର କୋଡ ମାଧ୍ୟମରେ ବ୍ୟକ୍ତିଙ୍କୁ ଚିହ୍ନାଯିବ ।
ଟୀକା ଲଗାଇବା ପରେ ବ୍ୟକ୍ତିଙ୍କ ଫୋନକୁ ଏକ ମେସେଜ ବି ଆସିବ । ଯେଉଁଥିରେ ଜଣାପଡିବ କି ତାଙ୍କୁ କେଉଁଦିନ ଏବଂ କେଉଁଠି ଟୀକା ଲଗାଯାଇଛି ଏବଂ ସେ କିଭଳି ସାର୍ଟିଫିକେଟ ପାଇପାରିବେ । ସବୁଠାରୁ ବଡ କଥା ହେଉଛି ଏହି ସାର୍ଟିଫିକେଟ ଡିଜିଟଲାଇଜ୍ଡ ହେବ ଏବଂ ଏହାକୁ ବ୍ୟକ୍ତି ତାଙ୍କ ଫୋନରେ ଡାଉନଲୋଡ କରି ପାରିବେ ।