ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ପ୍ରସ୍ତୁତିରେ ଦେଶ ଲାଗି ପଡିଥିବା ବେଳେ ନିକଟରେ କରୋନାର ଦୁଇଟି ଟୀକା କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ଏଭଳି ନିଷ୍ପତି ପରେ ଭାରତର ଶୀର୍ଷ ନେତୃତ୍ୱକୁ ବିଭିନ୍ନ ସ୍ଥାନରେ ପ୍ରଶଂସା କରାଯାଉଛି । ଏହାରିମଧ୍ୟରେ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ ଗେଟ୍ସ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ।
ବିଲ ଗେଟ୍ସ କହିଛନ୍ତି କି, ଯେଉଁ ସମୟରେ ସାରା ଦୁନିଆ କରୋନା କବଳରୁ ମୁକୁଳିବା ପାଇଁ ଚେଷ୍ଟା କରୁଛି ସେହି ସମୟରେ ବୈଜ୍ଞାନିକଙ୍କ ଉଦ୍ଭାବନ ଏବଂ ଟୀକା ଉତ୍ପାଦନ କ୍ଷମତାରେ ଭାରତର ନେତୃତ୍ୱକୁ ଦେଖି ଖୁବ୍ ଖୁସୀ ଅନୁଭବ ହେଉଛି ।
ସୂଚନାଯୋଗ୍ୟ , ଭାରତରେ ଦୁଇଟି କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି, ବହୁତ ଶୀଘ୍ର ଦୁନିଆର ସବୁଠାରୁ ବୃହତମ କରୋନା ଟୀକାକରଣ ପ୍ରକ୍ରିୟା ଦେଶରେ ଆରମ୍ଭ ହେବାକୁ ଯାଉଛି ।