ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳଫଳ ଯେତେ ସ୍ପଷ୍ଟ ହେଉଛି ବିଜେପିର ଆଶା ସେତେ ମଉଳି ଯାଉଛି । ଆମ ଆଦମୀ ପାର୍ଟି ଦିଲ୍ଲୀରେ ତୃତୀୟ ଥର ପାଇଁ ଶାସନ କରିବାକୁ ଯାଉଛି । ନିର୍ବାଚନ ପ୍ରାଚାର ସମୟରେ ଦିଲ୍ଲୀରେ ଆପ ଦଳକୁ ମାତ ଦେବାକୁ ଦାବି କରୁଥିବା ବିଜେପିକୁ ନିରାଶାର ସାମ୍ନା କରିବାକୁ ପଡିଛି । ନିର୍ବାଚନି ରେସରେ ବିଜେପି ପଛେଇ ଯିବା ସହ ଆପ ମ୍ୟାଜିକ ନମ୍ବରକୁ ଛୁଇବାରେ ସକ୍ଷମ ହୋଇପାରିଛି । ତେବେ ଏତେ ସତ୍ୱେ ବିଜେପି ଅପରାହ୍ନ ପର୍ଯ୍ୟନ୍ତ ଆଶା ରଖିଥିଲା କି କାଳେ କୌଣସି ଚମତ୍କାର ଘଟିଯିବ ଓ ବିଜେପି କିଛିଟା କମାଲ କରିଯିବ ।
ହେଲେ ବିଜେପି କିଛି କରିବା ତ ଦୂରର କଥା ଦଳ ୧୦ରୁ ଅଧିକ ଆସନ ଜିତିବାରେ ବି ସକ୍ଷମ ହୋଇପାରିନାହିଁ । ତେବେ ଶେଷରେ ବିଜେପି ନିଜର ପରାଜୟ ସ୍ୱୀକାର କରିବା ସହ ବିଜୟୀ ଦଳକୁ ଶୁଭେର୍ଚ୍ଚା ମଧ୍ୟ ଜଣାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଦିଲ୍ଲୀବାସୀ ଯେଉଁ ଜନାଦେଶ ଦେଇଛନ୍ତି ତାହାକୁ ଆମ ଦଳ ସ୍ୱୀକାର କରୁଛି । ଏହି ନିର୍ବାଚନ ନିମନ୍ତେ ଦଳର ସମସ୍ତ କର୍ମକର୍ତ୍ତା ଯଥେଷ୍ଟ ପରିଶ୍ରମ କରିବା ସହ ନିଜର ସମସ୍ତ ପ୍ରଚେଷ୍ଟା କରିଦେଇଛନ୍ତି ।
ତେବେ ଦିଲ୍ଲୀବାସୀ ଦେଇ ଥିବା ଜନଆଦେଶ ଅନୁଯାୟୀ ବିଜେପି ନିଷ୍ଠା ପର ଭାବେ ବିରୋଧୀ ଦଳର ଭୂମିକା ଗ୍ରହଣ କରିବ । ଦିଲ୍ଲୀର ବିକାଶ ନିମନ୍ତେ ଜଡିତ ସମସ୍ତ ପ୍ରସଙ୍ଗ ବିରୋଧୀ ଦଳ ହିସାବରେ ଉଠାଇବ । ଏଥିସହ ମୋ ତରଫରୁ ଆମ ଆଦମୀ ପାର୍ଟ ଓ କେଜ୍ରିୱାଲକୁ ଶୁଭେଚ୍ଛା ଜଣାଇଛନ୍ତି । ଆଶା କରୁଛୁ ଆମ ଆଦମୀ ପାର୍ଟି ଦିଲ୍ଲୀର ବିକାଶ ପାଇଁ ସମସ୍ତ କାର୍ଯ୍ୟ କରିବ” ବୋଲି ଜେପି ନଡ୍ଡା କହିଛନ୍ତି ।