ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ଇତି ମଧ୍ୟରେ ଆଜି ସକାଳୁ ମେଟ୍ଟୁପାଲୟମର ନାଦୁର କନ୍ନପ୍ପନ ଲେଆଉଟରେ ଏକ କାନ୍ଥ ଭୁଷୁଡି ପଡିଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ପୋଲିସର ବୟାନ ମୁତାବକ, ଦୁର୍ଘଟଣା ସମୟରେ ଘରେ ୧୫ ଜଣ ଲୋକ ଥିଲେ । ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ଯାଇଥିଲା । ଏପର୍ଯ୍ୟନ୍ତ ୯ ଜଣଙ୍କ ଶବ ଉଦ୍ଧାର କରାଯାଇଛି ।
ଉତ୍ତର-ପୂର୍ବ ମୌସୁମୀ ଯୋଗୁଁ ତାମିଲ ନାଡୁର ଅନେକ ସ୍ଥାନରେ ଏବଂ ପଡୋଶୀ ରାଜ୍ୟ ପୁଡୁଚେରୀ ରେ ୨୪ ଘଣ୍ଟା ହେବ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଆହୁରୀ ଦୁଇ ଦିନ ଯାଏଁ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁର ସମସ୍ତ ରାଜ୍ୟର ସ୍କୁଲକୁ ଛୁଟି ଘୋଷଣା କରାଯିବା ସହ ବିଶ୍ୱ ବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରି ଦିଆଯାଇଛି ।