ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପିଏନବି ଘୋଟଲା ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଥରେ ବ୍ରିଟେନ୍ କୋର୍ଟରୁ ଝଟକା ଲାଗିଛି । କୋର୍ଟ ପକ୍ଷରୁ ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିଦିଆଯାଇଛି । ଏହି ମାମଲାରେ ଆଗାମୀ ମେ ମାସ ୨୪ ତାରିଖରେ ଶୁଣାଣି ହେବ । ସେଥିପାଇଁ ମେ’ ୨୪ ପର୍ଯ୍ୟନ୍ତ ନୀରବଙ୍କୁ ପୋଲିସ କଷ୍ଟୋଡିରେ ରହିବାକୁ ପଡିବ । ଏହାପୂର୍ବରୁ ଲଣ୍ଡନ କୋର୍ଟରେ ଶୁଣାଣି ପାଇଁ ଭିଡିଓଲିଙ୍କ ଜରିଆରେ ରିମାଣ୍ଡରେ ନିଆଯାଇଥିଲା ।
ନୀରବ ମୋଦିଙ୍କୁ ମାର୍ଚ୍ଚ ମାସରେ ଗିରଫ କରାଯାଇଥିଲା । ତାଙ୍କୁ ଲଣ୍ଡନ ବ୍ୟାଣ୍ଡସୱର୍ଥ ଜେଲ୍ ରେ ରଖାଯାଇଥିଲା । ସେଠାରୁ ଭିଡିଓଲିଙ୍କ ଜରିଆରେ ବେଷ୍ଟମିଂଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଗଲା । ତାପରେ ତାଙ୍କର ଜାମିନ୍ ଆବେଦନକୁ ଖାରଦ କରିଦିଆଗଲା ।
ଅନ୍ୟପଟେ ନୀରବ ମୋଦି ଏବଂ ମେହୁଲ ଚୋକସୀଙ୍କ ୧୨ଟି ଲକ୍ସଜୁରିଅସ୍ କାରକୁ ଗୁରୁବାର ନିଲାମ କରିଦିଆଯାଇଛି । ଏହି ନିଲାମୀ ସରକାରୀ କମ୍ପାନୀ ଏମଏସଟିସି ୱେବସାଇଟ୍ ମାଧ୍ୟମରେ କରାଯାଇଛି । ନିଲାମ ହୋଇଥିବାର କାର ମଧ୍ୟରୁ ୧୦ ଟି ନୀରବ ମୋଦି ଗ୍ରୁପ୍ ର ଏବଂ ୨ଟି ଚୋକସୀ ଗ୍ରୁପର ।