ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ ତାର ପ୍ରଥମ ୪ଜି ଫିଚର ଫୋନ ଲଞ୍ଚ କରି ସମସ୍ତଙ୍କୁ ଚକିତ କରିଥିଲା । ଏହି ଫୋନକୁ ୧୫୦୦ ଟଙ୍କାରେ ଲଞ୍ଚକରାଯାଇଥିଲା । ସେହିପରି ୨୦୧୯ ରେ ଦୀପାବଳି ଅଫର ଅନୁଯାୟୀ ଜିଓ ଫୋନ୍ କୁ ୬୯୯ ଟଙ୍କାରେ ବିକ୍ରି କରାଯାଇଥିଲା । କିନ୍ତୁ ଏବେ ଏହି ଜିଓ ଫୋନ ମହଙ୍ଗା ହୋଇପାରେ ।
ଜିଓ ଫୋନର ଅଫଲାଇନ୍ ରିଟେଲର୍ସ ପକ୍ଷରୁ କୁହାଯାଇଛି କି, ବହୁତ ଶୀଘ୍ର ଜିଓ ଫୋନର ଦାମ୍ ରେ ୩୦୦ ଟଙ୍କା ବୃଦ୍ଧି କରାଯିବ । ଏହାପରେ ଜିଓ ଫୋନର ଦାମ ୯୯୯ ହୋଇଯିବ ।
ଆହୁରି ମଧ୍ୟ କୁହାଯାଉଛି କି ଫୋନ ର ଦର ବୃଦ୍ଧି ହେବା ସାଙ୍ଗକୁ ୧୨୫ ଟଙ୍କିଆ ରିଚାର୍ଜ ବାଧ୍ୟତାମୂଳକ ହୋଇଯିବ । ଯାହାଫଳରେ ଫୋନ ର ଦାମ ୧୧୨୪ ଟଙ୍କା ହୋଇଯିବ । କିନ୍ତୁ ଏହାକୁ ନେଇ ଜିଓ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ ।
ସୂଚନାଯୋଗ୍ୟ, ଏହି ଜିଓ ଫୋନରେ ୨.୪ ଇଞ୍ଚ ର ଡିସପ୍ଲେ, ୧.୨ ଗିଗାହର୍ଟଜ ର ସ୍ପ୍ରିଡଟ୍ରମ ଡୁଆଲକୋର ପ୍ରୋସେସର, ଗ୍ରାଫିକ୍ସ ପାଇଁ ମାଲି-୪୦୦ ଜିପିୟୁ, ୫୧୨ ଏମବି ରାମ, ୪ ଜିବିର ଷ୍ଟେରେଜ ଏବଂ ସିଙ୍ଗଲ ସିମ୍ ଷ୍ଟୋରେଜ ଦିଆଯାଇଛି । ସେହିପରି ଏହି ଫୋନରେ ୨ ମେଗାପିକ୍ସଲର ରିୟର କ୍ୟାମେରା, ୦.୩ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା, ୨୦୦୦ ଏମଏଏଚ ବ୍ୟାଟେରୀ, ୪ଜି ଭିଓଏଲଟିଇ, ବ୍ଲୁଟୁଥ ଭି୪.୧, ୱାଇଫାଇ, ଏନଏଫସି, ଏଫଏମ ରେଡିଓ, ଜିପିଏସ ଏବଂ ୟୁଏସବି ୨,୦ ସପୋର୍ଟ ଦିଆଯାଇଛି ।