ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଚୀନ ସୀମା ବିବାଦ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍ ସେନା ୨ କିଲେମିଟର ପଛକୁ ହଟିବା ଆରମ୍ଭ କରିଛନ୍ତି । ଏହା ବିବାଦ କମ କରିବା ପାଇଁ କି ଅନ୍ୟ କିଛି କାରଣ ପାଇଁ ଚୀନ୍ ପଛକୁ ହଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚୀନ୍ ସେନା ତାଙ୍କ ଟେଣ୍ଟକୁ ପଛକୁ ହଟାଇଛି । ଚୀନ୍ ଏହି ଟେଣ୍ଟକୁ ପେଟ୍ରୋଲିଙ୍ଗ ପଏଣ୍ଟ ୧୪ ରୁ ପଛକୁ ନେଇଛି । ପେଟ୍ରୋଲିଙ୍ଗ ପଏଣ୍ଟ ୧୪ ସେହି ସ୍ଥାନ ଯେଉଁଠାରେ ଜୁନ୍ ୧୫ ରେ ଭାରତ-ଚୀନ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଡିସଏନଗେଜମେଣ୍ଟ ଅନୁଯାୟୀ ପଛକୁ ହଟିଛି ଚୀନ୍ । ଏନେଇ ଦୁଇ ଦେଶର ସେନା ଡିସଏନଗେଜମେଣ୍ଟ ଉପରେ ସହମତି ଜତାଇଛନ୍ତି । ଏହି ଡିଏନଗେଜମେଣ୍ଟ ସହିତ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ନିୟନ୍ତ୍ରଣ ରେଖା ଉପରେ ବଫର ଜୋନ୍ ହୋଇଯାଇଛି ।
ସୂଚନାଯୋଗ୍ୟ, ନିକଟରେ ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ଏହି ସଂଘର୍ଷରେ ଚୀନ୍ ର ବି ୪୫ ସେନା ମୃତାହତ ହୋଇଥିବା ସୂଚନା ରହିଥିଲା ।