ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସେହିପରି ଏବେ କରୋନା ଭାଇରସର ପ୍ୟାକେଜକୁ ବି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତି ନେଇଛନ୍ତି ମୋଦି ସରାକର । ପ୍ରକୃତରେ ସରକାରଙ୍କ ପକ୍ଷରୁ କରୋନା ଟେଷ୍ଟ ପାଇଁ ୪୫୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି, କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ଏହି ଟେଷ୍ଟ କରିବା ପାଇଁ ଅସମର୍ଥ । ଇତିମଧ୍ୟରେ ସରକାର ଏହି ମହାମାରୀକୁ ବି ଆୟୁଷ୍ମାନ ଭାରତ ଯୋଜନା ରେ ସାମିଲା କରିବା ଉପରେ ବିଚାର କରିଛନ୍ତି ଯାହାଦ୍ୱାରା ଗରିବ ଲୋକମାନେ ଏହି ଭାଇରସର ଚିକିତ୍ସା କରି ପାରିବେ ।
ବର୍ତ୍ତମାନ କରୋନା ଟେଷ୍ଟ ପାଇଁ ୧୧୧ ଟି ଲ୍ୟାବ କାମ କରୁଛି । ଏହାସହିତ ଏବେ ଟେଷ୍ଟ ପାଇଁ ପ୍ରାଇଭେଟ ଲ୍ୟାବ୍ ଗୁଡିକୁ ବି ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ମାତ୍ର କରୋନା ଟେଷ୍ଟ ପ୍ରାଇଭେଟ ଲ୍ୟାବ୍ ରେ ମହାଙ୍ଗା ହେବ । ଯାହା ଗରିବ ଲୋକଙ୍କ ପାଇଁ କଷ୍ଟକର । ସେଥିପାଇଁ ମୋଦି ସରକାର ଆୟୁଷ୍ମାନ ଯୋଜନାକୁ ବଢାଇବାର ନିଷ୍ପତି ନେଇଛନ୍ତି । ଯାହାଫଳରେ ବହୁତ ଶୀଘ୍ର କରୋନା ରୋଗୀଙ୍କ ଚିକିତ୍ସା ହୋଇପାରିବ ଏବଂ ଭାଇରସ ବ୍ୟାପିବାରୁ ରୋକା ଯାଇ ପାରିବ ।
ଇତିମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି କି ଦୁନିଆର ଅଲଗା ଅଲଗା କୋଣରୁ ୧୪ ଲକ୍ଷ ଲୋକ ଭାରତ ଆସିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୮ ହଜାର ଲୋକ ସରକାରଙ୍କ ଆଇସୋଲେସନରେ ଅଛନ୍ତି ଏବଂ ଅନ୍ୟ ଲୋକମାନେ ସେମାନଙ୍କ ଘରେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏହାସହିତ ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଛୁଇଁଥିବା ବେଳେ ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଗଲାଣି ।