ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଭାରତର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଆଜି ଠାରୁ ୧୫ ଦିନ ପର୍ଯ୍ୟନ୍ତ ବାଟାଲିୟନ ସହିତ କାର୍ଯ୍ୟ କରିବେ । ଆଜିଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧୋନି ସେନା କାର୍ଯ୍ୟରେ ନିୟୋଜିତ ହେବେ । ଧୋନି ଭାରତୀୟ ସେନାର ଟେରାଟେରିୟଲ – ଆର୍ମିର ୧୦୬ ପାରା ବାଟାଲିୟନ ସହିତ କାର୍ଯ୍ୟ କରିବେ । ଏହି ଖେଳାଳି ଏବେ କାଶ୍ମୀର ଘାଟିରେ ୧୫ ଦିନ ପାଇଁ ନିୟୋଜିତ ହେବେ । ସୈନିକଙ୍କ ସହିତ ପାଟ୍ରୋଲିଙ୍ଗ ମଧ୍ୟ କରିବା ସହ ଗାର୍ଡ ଏବଂ ପୋର୍ଟ ଡ୍ୟୁଟି ମଧ୍ୟ କରିବେ ।
ସବୁଠାରୁ ବଡ କଥା ହେଲା ଧୋନି ଏହି ୧୫ ଦିନ ସୈନିକଙ୍କ ସହିତ ରହିବା ସହିତ ସୈନିକ ମାନେ ଖାଉଥିବା ଖାଦ୍ୟ ମଧ୍ୟ ଖାଇବେ । ସୂତ୍ରର ସୂଚନା ଅନୁସାରେ ଧୋନିଙ୍କ ରହିବା ପାଇଁ ଅଫିସର ମାନଙ୍କ ମେସରେ ବ୍ୟବସ୍ଥା କରା ଯାଇଥିଲା । ମାତ୍ର ଧୋନି ସେଠାରେ ରହିବେ ନାହିଁ ବୋଲି ମନା କରିବା ସହିତ ସୈନିକ ମାନଙ୍କ ସହିତ ରହିବେ ବୋଲି ଜଣାଇଥିଲେ ।
ଏଠାରେ ଡ୍ୟୁଟି କଲା ବେଳେ ସେ ୧୯ କେଜି ଓଜନର ଗୁଳି, ଉପକରଣ ଓ ପୋଷାକ ଆଦି ତାଙ୍କ ସାଙ୍ଗରେ ରଖିବେ। ଏଥିରେ ୫କେଜି ଓଜନର ତିନୋଟି ମ୍ୟାଗାଜିନ ରହିବ । ଏହା ବ୍ୟତୀତ ୩ କେଜିର ପୋଷାକ, ଦୁଇ କେଜିର ଜୋତା, ଏକ କେଜିର ହେଲମେଟ, ୪କେଜିର ବୁଲେଟ ପ୍ରୁଫ ଜ୍ୟାକେଟ ଏବଂ ପ୍ରାୟ ୪କେଜିର ଗ୍ରେନେଡ ରହିବ। ସୂଚନାଯୋଗ୍ୟ ଧୋନି ୨୦୧୫ ମସିହାରେ ସେନାରେ ନିଯୁକ୍ତ ହୋଇଥିଲେ ।