ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମଗ୍ର ଦେଶରେ ସ୍ୱଚ୍ଛତା ମିଶନକୁ ନେଇ ସଚେତନତା ମୂଳକ କାର୍ଯ୍ୟକ୍ରମ ଜୋରଦାର ଗ୍ରହଣ କରାଯାଉଛି । ତେବେ ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସ୍ୱଚ୍ଛ ସହରାଞ୍ଚଳ ପାଇଁ ପ୍ରଶଂସିତ କରାଯାଇଛି । ଓଡିଶାର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ(ଓଡିଏଫ୍) ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି। ୨୦୧୯ ବର୍ଷ ପାଇଁ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡିଶାର ସ୍ଥାନ ୧୭ରେ ରହିଛି । ତେବେ ଓଡିଶାରେ ପୌରାଞ୍ଚଳରେ ୧,୩୨,୫୨୪ଟି ବ୍ୟକ୍ତିଗତ ପାଇଖାନା, ୫୨୧୩ ଗୋଷ୍ଠୀ ପାଇଖାନା ଓ ୪୪୨୧ଟି ସର୍ବସାଧାରଣ ପାଇଖାନା ନିର୍ମାଣ ହୋଇଛି। ତେବେ ଏହିସବୁ ସଂଖ୍ୟା ସ୍ୱଚ୍ଛ ଭାରତ ମିଶନ ପାଇଁ ଧାର୍ଯ୍ୟ କରାଯାଇଥିବା ସଂଖ୍ୟାଠାରୁ ଅଧିକ ରହିଥିବା ଜଣା ପଡିଛି ।
ସ୍ବଚ୍ଛ ସର୍ବେକ୍ଷଣ ୨୦୧୯ ଅନୁଯାୟୀ ଯାଜପୁର, ତରଭା ଓ ପାରାଦୀପ ଭଳି ଚାରୋଟି ପୌରସଂସ୍ଥା ଗୁଡିକୁ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ପୁରସ୍କୃତ କରାଯାଇଛି । ତେବେ ବ୍ରହ୍ମପୁର ମହାନଗର ନିଗମ କେନ୍ଦ୍ର ସରକାରଙ୍କ ଓଡିଏଫ ପ୍ଲସ୍ ଫ୍ଲସ୍ ପ୍ରମାଣପତ୍ର ପାଇ ସରିଥିବା ବେଳେ ଏବେ ଏହି ପୌରସଂସ୍ଥା ଆବର୍ଜନାମୁକ୍ତ ସହର ଲାଗି ୩ଷ୍ଟାର ପ୍ରମାଣପତ୍ର ନିମନ୍ତେ ଆବେଦନ କରିଛି । ଅନ୍ୟପଟେ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧୪ ପୌରାଞ୍ଚଳରେ ଏହି ଧରଣର ୨୪୨ଟି ପ୍ଲାଣ୍ଟ ସହ ମ୍ୟାଟେରିଆଲ ରିକଭରି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛନ୍ତି।