ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଡିସେମ୍ବର ୧୬ ରୁ ସମସ୍ତ ବ୍ୟାଙ୍କ ଗୁଡିକରେ ୨୪ ଘଣ୍ଟିଆ ନେସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର(ଏନଇଏଫଟି) ର ସୁବିଧା ଆରମ୍ଭ ହୋଇଯିବ । ଏଥିପାଇଁ ଗ୍ରାହକଙ୍କଠାରୁ କୌଣସି ଶୁଳ୍କ ନେବ ନାହିଁ ବ୍ୟାଙ୍କ । ଏହି ଏନଇଏଫଟି ସୁବିଧା ବର୍ତ୍ତମାନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିଛି । ଏହାସହିତ ମାସର ପ୍ରଥମ ଏବଂ ତୃତୀୟ ଶନିବାର ଏହାର ସମୟ ସକାଳ ୮ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ରହିଛି । ଏନେଇ ଏହି ସେବାକୁ ୨୪ ଘଣ୍ଟିଆ କରିବା ପାଇଁ ବ୍ୟାଙ୍କ ଗୁଡିକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଦେଶରେ ଡିଜିଟାଲ ବ୍ୟାଙ୍କିଂ ସେବା ବୃଦ୍ଧି କରାଇବା ପାଇଁ ଆରବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାସହିିତ ଫଷ୍ଟ୍ୟାଗ ଭରିବା ପାଇଁ ମୋବାଇଲ ୱାଲେଟ, ସମସ୍ତ ପ୍ରକାରର କାର୍ଡ ଏବଂ ୟୁପିଆଇ ସହ ଲିଙ୍କ କରିବା ପାଇଁ ଆରବିଆଇ ପକ୍ଷରୁ କୁହାଯାଇଛି କି, ଏହାର ବ୍ୟବହାର ପାର୍କିଂ ଏବଂ ପେଟ୍ରୋଲ ପମ୍ପ ମାନଙ୍କରେ ବି କରାଯାଉ ।
ରିଟେଲ ଡିଜିଟାଲ ଟ୍ରାଞ୍ଜାକ୍ସନ ବର୍ଷକୁ ୬୦ ପ୍ରତିଶତ ଦରରେ ବୃଦ୍ଧି ହେଉଛି । ୨୦୧୮ ମସିହା ଅକ୍ଟୋବର ମାସରୁ ସେପ୍ଟମ୍ବର ମାସ ୨୦୧୯ ମଧ୍ୟରେ ହାରାହାରି ୨୮୪୬ କୋଟି ଟଙ୍କା ରହିଥିଲା । ଇତି ମଧ୍ୟରେ ସର୍ବମୋଟ ୩୦୨ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି । ଏନଇଏଫଟି ଏବଂ ୟୁପିଆଇ ଜରିଆରେ ୧୧୨୬ କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି । ଏଥିରେ ୟୁପିଆଇର ଗ୍ରୋଥ ରେଟ୍ ୨୬୩ ପ୍ରତିଶତ ରହିଥିବା ବେଳେ ଏନଇଏଫଟି ର ଗ୍ରୋଥ ରେଟ୍ ୨୦ ପ୍ରତିଶତ ରହିଛି ।
ଡିସେମ୍ବର ମାସରୁ ଗ୍ରାହକଙ୍କୁ ଏନଇଏଫଟି ଜରିଆରେ ୨୪ ଘଣ୍ଟିଆ ନେଣ ଦେଣ କରିବାର ସୁବିଧା ଉପଲବ୍ଧ ହେବ ।
ସୂଚନାଯୋଗ୍ୟ, ଜୁନ୍ ୬ରେ ହୋଇଥିବା ଆରବିଆଇର ମୌଦ୍ରିକ ନୀତି ସମିତିର ସମୀକ୍ଷା ବୈଠକରେ ସାଧାରଣ ଜନତାଙ୍କୁ ବଡ ଉପହାର ଦେଇଥିଲା ଆରବିଆଇ । ଏହି ସମୟରେ ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ(ଆରଟିଜିଏସ) ଏବଂ ନେସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ଜରିଆରେ ହେଉଥିବା ନେଣ ଦେଣକୁ ନିଶୁଳ୍କ କରିଦେଇଥିଲେ । ଏହି ନିମୟ ଜୁଲାଇ ୧ ରୁ ଲାଗୁ ହୋଇ ଯାଇଥିଲା ।
ଏନଇଏଫଟି କଣ?
ଏନଇଏଫଟି ର ଅର୍ଥ ହେଉଛି ନେସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର । ଇଣ୍ଟରନେଟ୍ ଜରିଆରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣ ଦେଣ ପାଇଁ ଏନଇଏଫଟି ର ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଯେକୌଣସି ବ୍ୟାଙ୍କ ଶାଖାର ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣଣ୍ଟକୁ ଟଙ୍କା ପଠାଇପାରିବେ ।