ପୁଣେ (ଏଟିଆର ବ୍ୟୁରୋ ) ; ସାଧାରଣତଃ ଆମ ଆଖ ପାଖରେ ଏପରି ଅନେକ ଲୋକ ଥାଆନ୍ତି ଯେଉଁମାନଙ୍କର ପାନ , ପୁଡିଆ ଖାଇବା ଅଭ୍ୟାସ ଥାଏ । ତେବେ ସେମାନେ ଅନବରତ ନିଜ ପାଟିରେ ପାନ ହେଉ କି ଗୁଟଖା ହେଉ ଚୋବାଇବେ ବ୍ୟସ୍ତ ଥାଆନ୍ତି ଓ ଏଣେ ତେଣେ ଛେପ ପକାଇଥାନ୍ତି । ବାରମ୍ବାର ସଚେତନତା ସୃଷ୍ଟି କରାଯିବା ପରେ ବି ସେମାନେ ରାସ୍ତାଘାଟରେ ଛେପ ପକାଇ ଅପରିସ୍କାର କରନ୍ତି ।
କେତେକ ସ୍ଥାନରେ ଏପରି ଭୁଲ ପାଇଁ ଫାଇନ ମଧ୍ୟ ଦେବା ପାଇଁ ନିୟମ ରହିଥାଏ । ତେବେ ଏପରି କରାଯିବା ଦ୍ୱାରା ଏ ସମସ୍ୟା ବଢିବାରେ ଲାଗିଛି ସିନା କମିବାର ନାଁ ନେଉନି । କିଛି କାର୍ଯ୍ୟାଳୟର କୋଣରେ ଆମେ ଛେପ ପକାଉଥିବା ସ୍ଥାନରେ ଦେବାଦେବୀଙ୍କର ମଧ୍ୟ ଫଟୋ ଦେଖିବାକୁ ମିଳିଥାଏ । ହେଲେ ତଥାପି ଲୋକମାନେ ଏଭଳି ଭୁଲ ବାରମ୍ବାର କରିଥାଆନ୍ତି । ହେଲେ ଏବେ ପୁଣେରେ ଏପରି ଏକ ନିୟମ ଲାଗୁ କରାଯାଇଛି ଯାହାଦ୍ୱାରା ଏଣେତେଣେ ଛେପ ପକାଇବା ଘଟଣାକୁ ରୋକାଯାଇପାରିବ ବୋଲି ଅନୁମାନ କରାଯାଉଛି ।
ଏଣିକି ଛେପ ପକାଇଲେ ନିଜେ ହିଁ ସଫା କରିବେ ବୋଲି ପୁଣେ ମ୍ୟୁନିସିପାଲ କର୍ପୋରେସନ ନିର୍ଦ୍ଦେଶ ଦେଇଛି । ପୁଣେର ବିଭିନ୍ନ ଗଳି ଗୁଡିକକୁ ସଫା ରଖିବା ଉଦେଶ୍ୟରେ ମ୍ୟୁନିସିପାଲ କର୍ପୋରେସନ ଏପରି ଅଭିନବ ଉଦ୍ୟମ କରିଛି । ଯଦି କୌଣସି ବ୍ୟକ୍ତି ପାନ କିମ୍ବା ଗୁଟଖା ଛେପ ପକାଏ ତେବେ ତାକୁ ହିଁ ସେଇ ଛେପ ନିଜ ହାତରେ ସଫା କରିବାକୁ ଜଣାଇଦିଆଯାଇଛି ।
ମଜାଦାର କଥା ଯେ , ଏଭଳି ନିୟମ ଜାରି ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ପାଖାପାଖି ୧୫୦ ଜଣ ଏପରି କରୁଥିବାର ଦେଖାଯାଇଛି । ଖାଲି ସେତିକି ନୁହେଁ ସେ ସମସ୍ତ ଲୋକେ ନିଜ ହାତରେ ନିଜ ଛେପକୁ ସଫା କରିବା ସହ ଜଣକା ୧୫୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ବାଧ୍ୟ ହୋଇଛନ୍ତି । ସେପଟେ ଏଭଳି ନିୟମକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି । ଏଭଳି ହେବା ଦ୍ୱାରା ପରିସ୍କାର ପରିଛନ୍ନତା ଉପରେ ସଚେତନତା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି ।