ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ପଲିଟିକାଲ ଡ୍ରାମା ପ୍ରତି ମୂହୂତ୍ତରେ ଏକ ନୂଆ ସସପେନ୍ସ ସୃଷ୍ଟି କରୁଛି । ରାଜ୍ୟରେ ସରକାର ଗଢା ସରିବା ପରେ ମଧ୍ୟ ଏବେ ବି ଏଠାରେ ଲାଗି ରହିଛି ଦ୍ୱନ୍ଦ । କାରଣ ସମସ୍ତେ ଦାବି କରୁଛନ୍ତି ତାଙ୍କ ପାଖରେ ସରକାର ଗଢିବା ପାଇଁ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ରହିଛି । କଂଗ୍ରେସ , ଏନସିପି ଓ ଶିବସେନା ଏହାକୁ ନେଇ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଛନ୍ତି । ଏନସିପି ଦାବି କରିଛି ତାଙ୍କ ପାଖରେ ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୫୩ ଜଣ ବିଧାୟକ ରହିଛନ୍ତି । କେବଳ ଅଜିତ ପାୱାର ବିଜେପିରେ ଅଛନ୍ତି ।
ଏନସିପି ଅଭିଯୋଗ କରିଛି ବିଜେପି ଘୋଡା ବେପାର କରୁଛି । ବିଧାୟକ ମାନଙ୍କୁ ପ୍ରଲୋଭିତ କରାଯାଉଛି । ଏନସିପିର ନିଖୋଜ ୪ ଜଣ ବିଧାୟକଙ୍କୁ ଏନସିପି ଠାବ କରି ନିଜ ଦଳକୁ ଆଣିଛି । ସେପଟେ ଅଜିତ ପାୱାର ଦାବି କରିଛନ୍ତି ସମସ୍ତ ଏନସିପି ବିଧାୟକ ବିଜେପିକୁ ସମର୍ଥନ କରିବେ । ତେବେ ଏହା ଉପରୁ ହୁଏତ ଆଜି ପରଦା ଉଠିପାରେ । କାରଣ କଂଗ୍ରେସ , ଏନସିପି ଓ ଶିବସେନାକୁ ଗତକାଲି କୋର୍ଟ ନିର୍ଦେଶ ଦେଇଥିଲେ ଆଜି ସକାଳ ୧୦ ଟା ମଧ୍ୟରେ ସମର୍ଥନ ପତ୍ର ଦାଖଲ କରିବାକୁ ।
ଆଜି ସମର୍ଥନ ପତ୍ର ଦାଖଲ କରାଯିବା ପରେ ହୁଏତ ମାସେ ହେଲା ଚାଲିଥିବା ଏହି ମାହାନାଟକରେ ଯବନିକା ପଡିବ । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ବିଜେପି ସରକାର ଗଢିବା ପରେ କଂଗ୍ରେସ, ଏନସିପି ଓ ଶିବସେନା ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିଛନ୍ତି । ବିଜେପି ପାଖରେ ସରକାର ଗଢିବା ପାଇଁ ଆବଶ୍ୟକ ବିଧାୟକ ନାହାନ୍ତି । ଏଥିପାଇଁ ଫ୍ଲୋରକୁ ଆସି ପ୍ରକୃତ ପରୀକ୍ଷା କରାଯାଉ ବୋଲି ନିବେଦନ କରିଥିଲେ ।