ନୂଆଦିଲ୍ଲୀ (ଏଯିଆର ବ୍ୟୁରୋ): ଘଡିକୁ ଘୋଡା ଛୁଟିଲା ଭଳି ରାଜନୀତି ଅଙ୍କ କଷାରେ କେତେ ବେଳେ କିଏ କାହାର ମିତ୍ର ତ ଆଉ କେତେ ବେଳେ କିଏ କାହାର ଶତ୍ରୁ । ମହାରାଷ୍ଟ୍ର ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପରେ ଶିବସେନା , କଂଗ୍ରେସ ଓ ଏନସିପିର ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିଥିଲା । ମହାରାଷ୍ଟ୍ରରେ ସରକାର ଗଠନ ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥୀ ଦେବେନ୍ଦ୍ର ଫଡନାବିଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶପଥ ପାଠ କରିଥିଲେ ହେଁ ପରେ ସେ ଆବଶ୍ୟକୀୟ ସମର୍ଥନ ହାସଲ ନକରିପାରିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ ପଡିଥିଲା । ଅନ୍ୟପଟେ ଶିବସେନା କଂଗ୍ରେସ ଓ ଏନସିପିର ସହଯୋଗରେ ସରକାର ଗଠନ କରିବାରେ ସଫଳତା ହାସଳ କରିଥିଲା ।
ହେଲେ ଗତକାଲି ଲୋକସଭାରେ କେନ୍ଦ୍ର ସରକାର ଯେତେବେଳେ ବିବାଦୀୟ ନାଗରିକତା ସଂଶୋଧନ (ସିଏବି) ବିଲ୍ କୁ ଆଗତ କରିଥିଲେ ଏହାକୁ ବିରୋଧୀ କଂଗ୍ରେସ ସଦସ୍ୟମାନେ ସମର୍ଥନ ଜଣାଇନଥିଲେ । କିନ୍ତୁ ମହାରାଷ୍ଟ୍ରରେ କଂଗ୍ରେସ ସମର୍ଥନରେ ସରକାର ଗଢିଥିବା ଶିବସେନା ଏହି ବିଲ୍ କୁ ସମର୍ଥନ ଜଣାଇ ସମସ୍ତଙ୍କୁ ଚକିତ କରିଥିଲା । ଶିବସେନାର ୧୮ଜଣ ସଦସ୍ୟ ବିବାଦୀୟ ନାଗରିକତା ସଂଶୋଧନ ବିଲ୍କୁ ସମର୍ଥନ ଜଣାଇଥିଲେ । ଶିବସେନା ଏହି ବିଲ୍କୁ ସମର୍ଥନ କରିବା ସହ କହିଛି, ଆମ ଦଳ ଏହି ବିଲ୍ କୁ ସମର୍ଥନ କରୁଛି ହେଲେ ଏହି ବିଲ ଦ୍ୱାରା ଭାରତୀୟ ନାଗରୀକତା ହାସଲ କରୁଥିବା ଅଣମୁସଲମାନ ଲୋକମାନଙ୍କୁ ୨୫ବର୍ଷ ଯାଏ ଭୋଟ ଦେବାର କ୍ଷମତା ଦିଆ ନଯାଉ । ତେଣୁ କେନ୍ଦ୍ର ସରକାର ଖାଲି ଆଇନ କରି ଦେଲେ ଚଳିବ ନାହିଁ , ଏହାକୁ ସଠିକ ରୂପେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ।