ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୧ରୁ ଲାଗୁ ହୋଇଛି ନୂତନ ମୋଟର ଯାନ ଆଇନ । ମାତ୍ର ସଫ୍ଟୱେୟାର ଅସୁବିଧା ଯୋଗୁଁ ଏଯାବତ୍ କିଛି କିଛି ସ୍ଥାନରେ ଏହି ନିୟମ ଲାଗୁ ହୋଇପାରି ନାହିଁ । କିନ୍ତୁ ଯେଉଁ ସବୁ ରାଜ୍ୟରେ ଏହି ନିୟମ ଲାଗୁ ହୋଇଛି ସେଠାରେ ଆରମ୍ଭ ହୋଇଯାଇଛି କଡା ଚେକିଂ । ସେପଟେ ଯେଉଁ ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରୁଛନ୍ତି ତାଙ୍କ ନାଁରେ କଟା ହେଉଛି ମୋଟା ଅଙ୍କର ଚାଲାଣ । ଯାହାକୁ ନେଇ ଗାଡି ଚାଳକ ପୂରା ପୂରି ଛାନିଆ । କିନ୍ତୁ ଯଦି ଆପଣଙ୍କ ପାଖରେ ଏକ ମୋବାଇଲ ଆପ୍ ଅଛି ତେବେ ଆପଣ ମୋଟା ଅଙ୍କର ଚାଲାଣ କାଟାଯିବାରୁ ବଞ୍ଚିଯାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ..
ପ୍ରକୃତରେ ଗତ ବର୍ଷ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆଇଟି ଆକ୍ଟ ବ୍ୟବସ୍ଥାକୁ ନେଇ କୁହାଯାଇଥିଲା କି , ଏବେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଇନ୍ସୁରାନ୍ସ ଭଳି କାଗଜପତ୍ରର ଅସଲି କପି ଯାଞ୍ଚ ପାଇଁ ନିଆ ନଯାଉ । କାରଣ ଡିଜିଲକର ଏବଂ ଏମପରିବହନ ଆପ୍ ରେ ଉପଲବ୍ଧ ଥିବା କାଗଜପତ୍ରର ଇଲୋକ୍ଟ୍ରନିକ କପି କୁ ବୈଧ ବୋଲି ସ୍ୱୀକାର କରାଯିବ । ସେହିପରି କେନ୍ଦ୍ରସରକାର ପକ୍ଷରୁ ରାଜ୍ୟର ପରିବହନ ବିଭାଗ ଏବଂ ଟ୍ରାଫିକ ପୋଲିସକୁ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇ କୁହାଯାଇଥିଲା କି ଯାଞ୍ଚ ପାଇଁ କାଗଜପତ୍ରର ଅସଲି କପି ନ ନିଆଯାଉ ।
ଇତି ମଧ୍ୟରେ ଟ୍ରାଫିକ୍ ପୋଲିସ ନିଜ ମୋବାଇଲ ଫୋନ ଜରିଆରେ ଡ୍ରାଇଭର କିମ୍ବା ପରିବହନର ସମସ୍ତ ତଥ୍ୟ କ୍ୟୁଆର କୋଡ ଜରିଆରେ ଡାଟାବେସ ବାହାର କରିପାରିବେ । ଏହାସହିତ ଡ୍ରାଇଭର ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିବାର ରେକର୍ଡ ବି ରଖିପାରିବେ ।
ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣ ଆପଣଙ୍କ ସ୍ମାର୍ଟଫୋନ୍ ରେ ସର୍ବ ପ୍ରଥମେ ଡିଜିଲକର ଏବଂ ଏମପରିବହନ ଆପ୍ ଡାଉନଲୋଡ୍ କରନ୍ତୁ । ସାଇନଅପ୍ କରିବା ପାଇଁ ଆପଣଙ୍କ ମୋବାଇଲ ନଂ ଏଥିରେ ଏଣ୍ଟ୍ରି କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ୱାନ୍ ଟାଇମ ପାସୱାର୍ଡ ବା ଓଟିପି ଆସିବ । ସେହି ଓଟିିପିକୁ ଏଣ୍ଟର କରି ଭେରିଫାଇ କରନ୍ତୁ । ପୁଣି ଦ୍ୱିତୀୟ ଚରଣରେ ଲଗଇନ୍ କରିବା ପାଇଁ ନିଜର ୟୁଜର ନେମ ଆଉ ପାସୱାର୍ଡ ସେଟ୍ କରନ୍ତୁ । ଏହାପରେ ଆପଣଙ୍କର ଡିଜିଲକର ଆକାଉଣ୍ଟ ଖୋଲିଯିବ । ସେଥିରେ ପ୍ରମାଣିତ ଭାବେ ଆପଣଙ୍କ ଆଧାର ନଂ ଏଣ୍ଟ୍ରି କରନ୍ତୁ । ଅଧାର ନଂ ରେ ଯେଉଁ ମୋବାଇଲ ନଂ ରେଜିଷ୍ଟ୍ରେସନ ହୋଇଥିବ ସେଥିରେ ଏକ ଓଟିପି ଆସିବ । ସେହି ଓଟିପିକୁ ଏଣ୍ଟ୍ରି କରିବା ପରେ ଆଧାର ପ୍ରମାଣିତ କରିବାର ପ୍ରକ୍ରିୟା ଶେଷ ହୋଇଯିବ ।
ଏହି ଡିଜିଲକର ଦ୍ୱାରା ଆପଣ ଆପଣଙ୍କ ଆର୍ସି, ଲାଇସେନ୍ସ,ଇନ୍ସୁରାନ୍ସ କପି ଡାଉନଲୋଡ କରି ପୋଲିସକୁ ଦେଖାଇପାରିବେ । ଅପରପକ୍ଷେ ଏମପରିବହନ ଆପ ରେ ଗାଡି ମାଲିକର ନାଁ,ରେଜିଷ୍ଟ୍ରେସନ ତାରିଖ, ଗାଡି ମଡେଲ ନଂ, ଇନ୍ସୁରାନ୍ସର ବୈଧତା ଆଦି ସୂଚନାମାନ ରହିଥାଏ । ଏହାପଫଳରେ ଆପଣମାନଙ୍କୁ ଆଉ ଅସଲି କାଗଜପତ୍ର ଧରି ବୁଲିବାକୁ ପଡିବ ନାହିଁ ।