ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁଷମା ସ୍ବରାଜଙ୍କ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ଅନେକ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ସ୍ତବ୍ଧ ହୋଇଛନ୍ତି । ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତି ଏହି ଖବରରେ ସେ ମର୍ମାହତ । ଦେଶ ଜଣେ ସଚୋଟ ନେତ୍ରୀଙ୍କୁ ହରାଇଲା ।
() ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମା ସ୍ବରାଜଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି, ଭାରତୀୟ ରାଜନୀତିରେ ଏକ ଉଜ୍ଜଳମୟ ଅଧ୍ୟାୟର ପରିସମାପ୍ତି ଘଟିଲା । ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ସୁଷମା ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କୋଟି କୋଟି ଜନତାଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ ।
() ସେହିପରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶ ଜଣେ ସୁଯୋଗ୍ୟ ନେତ୍ରୀଙ୍କୁ ହରାଇଲା ଓ ଏହା ଦେଶପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ରାହୁଲ
() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଟୁଇଟ୍ ଯୋଗେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିବଂଗତ ସୁଷମା ସ୍ବରାଜ ଜଣେ ସମ୍ମାନାସ୍ପଦ ତଥା ଅଭିଜ୍ଞ ରାଜନେତା ଥିଲେ। ସାଧାରଣ ଲୋକଙ୍କର ସାମାନ୍ୟ ସମସ୍ୟାକୁ ବ୍ୟକ୍ତିଗତ ଆଗ୍ରହ ସହକାରେ ଗୁରୁତ୍ବର ସହ ଗ୍ରହଣ କରୁଥିଲେ। ତାଙ୍କର ବିୟୋଗରେ ଭାରତୀୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି। ମୁଁ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରୁଛି।
() ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଷମାଙ୍କ ବିୟୋଗକୁ ବିଶ୍ୱାସ କରି ପାରୁ ନାହାଁନ୍ତି ବୋଲି କହିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘‘ସୁଷମା ସ୍ୱରାଜ ଲୌହ ଭଳି କଠିନ ଓ ମା’ ଭଳି କୋମଳ ଥିଲେ । ସୁଷମା ନାରୀ ଶକ୍ତିର ପ୍ରତୀକ ଥିଲେ । ବିଶ୍ୱ ସ୍ତରରେ ସେ ଭାରତର ସ୍ୱରକୁ ଦୃଢ ଭାବେ ଉପସ୍ଥାପନ କରି ପାରୁଥିଲେ ।’’ ‘‘ସୁଷମା ସ୍ୱରାଜ ବଡ଼ ଭଉଣୀ ଭଳି ଥିଲେ । ସୁଷମା ମହାନ ରାଷ୍ଟ୍ରନେତା ଥିଲେ। ତାଙ୍କ ପରଲୋକରେ ଦେଶ ସମେତ ମୋର ମଧ୍ୟ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ ।’’
() ସେହିପରି ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି, ‘‘ମୁଁ ସୁଷମାଙ୍କ ବିୟୋଗରେ ଗଭୀର ଦୁଃଖିତ, ମର୍ମାହତ । କୋଟି କୋଟି ଲୋକଙ୍କ ପାଇଁ ସୁଷମା ଥିଲେ ଆଇକନ୍ ଓ ରୋଲ ମଡେଲ। ତାଙ୍କ ପରି ମହାନ୍ ରାଜନେତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି ।’’
() ସେହିଭଳି ବିଜେପି ସାଂସଦ ସ୍ମୁତି ଇରାନୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ, ବାବା ରାମଦେବ, ବହୁଜୁନ ସମାଜ ପାର୍ଟି ନେତ୍ରୀ ମାୟାବତୀ, କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଏନସିପି ମୁଖ୍ୟ ଶରଦ ପାୱାର, ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି, ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦ, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବାଇଜଲ ମଧ୍ୟ ଶୋକ ଜଣାଇଛନ୍ତି ।
() ସେପଟେ ପଡୋଶୀ ପାକିସ୍ତାନ ପକ୍ଷରୁ ମଧ୍ୟ ସୁଷମାଙ୍କ ବିୟୋଗରେ ଦୁଃଖପ୍ରକାଶ କରାଯାଇଛି । ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଚୌଧୁରୀ ଫବାଦ୍ ହୁସେନ୍ ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ସୁଷମାଙ୍କ ପରିବାର ପ୍ରତି ଗଭୀର ସମବେଦନା । ସୁଷମାଙ୍କ ସହ ଟ୍ବିଟରରେ ସବୁବେଳେ ହେଉଥିବା ଯୁକ୍ତିକୁ ସେ ସବୁବେଳେ ମନେ ପକାଇବେ ।