ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସୀମାରେ ସବୁବେଳେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଚଳିତ ବର୍ଷ ୨ ହଜାରରୁ ଅଧିକ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି । ପାକିସ୍ତାନର ଏହି କାଣ୍ଡ ପାଇଁ ୨୧ ଭାରତୀୟଙ୍କ ପ୍ରାଣହାନୀ ଘଟିଛି । ଏ ନେଇ ଭାରତ ପକ୍ଷରୁ ସୂଚନା ଦିଆଯାଇଛି । ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ କୁମାର ଏହି ସୂଚନା ଦେଇଛନ୍ତି । କେବଳ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ତା ନୁହେଁ ସୀମାପାର ହୋଇ ଭାରତକୁ ମଧ୍ୟ ପ୍ରବେଶ କରିଛି ।
ତେବେ ଏ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ୨୦୦୩ ମସିହାରେ ଅସ୍ତ୍ରବିରତିକୁ ନେଇ ହୋଇଥିବା ଚୁକ୍ତିକୁ ପାକିସ୍ତାନ ବାରମ୍ବାର ଅବମାନନା କରୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । ତେବେ ଗତ ଅଗଷ୍ଟ ମାସ ଠାରୁ ପାକିସ୍ତାନ ସୀମାରେ ଅଧିକ ଅଶାନ୍ତି ସୃଷ୍ଟି କରୁଛି । ଭାରତ କାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ଅଧିକ ପ୍ରତିକ୍ରିୟା ଶୀଳ ହୋଇ ପଡିଛି ପାକିସ୍ତାନ ।
ଭାରତ ସହିତ ସେପ୍ଟେମ୍ଭର କିମ୍ବା ଅକ୍ଟୋବର ମାସରେ ଯୁଦ୍ଧ କରିବାକୁ ମଧ୍ୟ ପାକିସ୍ତାନ କହି ସାରିଲାଣି । ଅନ୍ୟପଟେ ଆନ୍ତରାଷ୍ଟ୍ରୀୟ ସ୍ତରରେ ବାରମ୍ବାର ପାକିସ୍ତାନକୁ ନିରାଶ ହେବାକୁ ପଡୁଛି । ଭାରତ ବିରୁଦ୍ଧରେ ଚୀନକୁ ଧରି ଯେତେ ଗୋଟି ଚଳାଇଲେ ମଧ୍ୟ କେଉଁଥିରେ ବି ସଫଳ ହୋଇ ପାରୁନି ପାକିସ୍ତାନ ।