ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭାରେ ଉପବାଚସ୍ପତି ପଦ ପାଇଁ ଗୋଟେପଟେ ଏନଡିଏର ସହଯୋଗୀ ପାର୍ଟି ଶିବସେନା ଗୋଡ ଟେକି ବସିଥିବା ବେଳେ ଅନ୍ୟପଟେ ବିଜେପି ପକ୍ଷରୁ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗେସକୁ ଅଫର ଦିଆଯାଇଛି । ମଙ୍ଗଳବାର ବିଜୟୱାଡାରେ ବିଜେପି ସାଂସଦ ଜିବିଏଲ ନରସିଂହ ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ୱାଇଏସଆରସିପି ର ପ୍ରମୁଖ ଜଗନ ମୋହନ ରେଡ୍ଡୀଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ୨୫ ଲୋକେସଭା ସିଟ୍ ରୁ ୨୨ ସିଟ୍ ରେ ୱାଇଏସଆରସିପି ବାଜି ମାରି ନେଇଛି ।
ବିଜେପିର ଏହି ପ୍ରସ୍ତାବକୁ ନେଇ ଜଗନ ମୋହନଙ୍କ ପାର୍ଟି ପକ୍ଷରୁ କୌଣସି ଉତ୍ତର ଆସି ନାହିଁ । ରିପୋର୍ଟ ମୁତାବକ, ଏନେଇ ଜଗନ ମୋହନ କିଛି ସମୟ ମାଗିଛନ୍ତି । ଆନ୍ଧ୍ରପୟଦେଶରେ ମୁସଲମାନ ଏବଂ ଇସାଇ ସମୁଦାୟ ର ଭୋଟର ଆଧାରରେ ୱାଇଏସଆରସିପି ବାଜି ମାରିଛି । ଇତି ମଧ୍ୟରେ ବିଜେପିର ଏହି ପ୍ରସ୍ତାବକୁ ସ୍ୱୀକାର କରିବା ପୂର୍ବରୁ ପାର୍ଟିର ବରିଷ୍ଠ ନେତାମାନଙ୍କ ପରାମର୍ଶ ନେବାକୁ ଚାହୁଁଛନ୍ତି ଜଗନ ମୋହନ ରେଡ୍ଡୀ । ଏହାପରେ ଯାଇ ବିଜେପିର ଏହି ପ୍ରସ୍ତାବକୁ ଜଗନ ମୋହନ ଆପଣେଇବେ କି ନାହିଁ ତାହାର ନିଷ୍ପତି ନେବେ ।
ରିପୋର୍ଟ ମୁତାବକ, ଜଗନ ମୋହନ ଏବଂ ରାଓଙ୍କ ମଧ୍ୟରେ ପାଖାପାଖି ଅଧ ଘଣ୍ଟା ଯାଏଁ ଆଲୋଚନା ହୋଇଥିଲା । ହୁଏତ ଦୁହିଁଙ୍କର ଏହି ସାକ୍ଷାତକୁ ଔପଚାରିକ ବୋଲି କୁହାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନିର୍ଦ୍ଦେଶ କ୍ରମେ ରାଓ ଏହି ପ୍ରସ୍ତାବ ନେଇ ଜଗନ ମୋହନଙ୍କ ପାଖକୁ ଯାଇଥିଲେ ବୋଲି କୁହାଯାଉଛି ।