ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତରେ ଏକଜିଟ ପୋଲ ଆସିବା ପରେ ପାକିସ୍ତାନ ଗଣମାଧ୍ୟମରେ ମୋଦିଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ସେହିଭଳି ଯଦି ଦେଖାଯାଏ ଇଣ୍ଟରନେଟରେ ପାକିସ୍ତାନରେ ମୋଦିଙ୍କୁ ଅଧିକ ସର୍ଚ୍ଚ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଗୁଗୁଲର ତଥ୍ୟ ଅନୁସାରେ ଭାରତ ଅପେକ୍ଷା ପାକିସ୍ତାନରେ ମୋଦିଙ୍କୁ ବେଶି ସର୍ଚ୍ଚ କରାଯାଇଛି । ତେବେ ଆସନ୍ତାକାଲି ଚଳିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ଯାହାକୁ ନେଇ ଭାରତ ସମେତ ସାରା ବିଶ୍ୱ ଏହା ଉପରେ ନଜର ରଖିଛି । କିଏ ହବ ଭାରତର ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ।
ତେବେ ଆସନ୍ତା କାଲି ଭାରତରେ ଯେ କେବଳ ନିର୍ବାଚନ ଫଳାଫଳ ପ୍ରକାଶର ସିଧାପ୍ରସାରଣ କରାଯିବ ତା ନୁହେଁ ପାକିସ୍ତାନରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ । ଏନେଇ ପାକିସ୍ତାନରେ ଥିବା ଭାରତୀୟ ହାଇ କମିଶନର ନିଷ୍ପତି ନେଇଛନ୍ତି । ଇସଲମାବାଦରେ ଲାଇଭ ଭାରତୀୟ ନିର୍ବାଚନ ଫଳାଫଳର ଟେଲିକାଷ୍ଟ ଏକ ସ୍କ୍ରିନ ମାଧ୍ୟମରେ କରାଯିବ ।
ଆସନ୍ତାକାଲି ଅପରାହ୍ନ ୧୨ ଟା ବେଳେ ଇସଲମାବାଦ ସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଅଡିଟୋରିୟମ ଏବଂ ଲନରେ ସ୍କ୍ରିନ ଯୋଗେ ଚାଲିବ । ସେହିପରି ସନ୍ଧ୍ୟା ୭;୩୦ ରେ ନିର୍ବାଚନ ଫଳାଫଳ ନେଇ ଏକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ମୋଦି ଅର୍ଥନୀତିକୁ ଗୁରୁତ୍ୱ ଦେଇଥିବା ବେଳେ ଏଥର ପ୍ରତିରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯାହାକୁ ନେଇ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି ।