ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ମଂଚରେ ବେହୋସ ହୋଇପଡିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ମହାରାଷ୍ଟ୍ରର ଅହମ୍ମଦନଗର ଠାରେ ଏକ କଲେଜର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବା ବେଳେ ସେ ସଂଜ୍ଞାହୀନ ହୋଇ ପଡିଥିବା ଜଣାପଡିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଡକରୀଙ୍କ ରକ୍ତ ଶର୍କରା କମ ହୋଇଯିବା କାରଣରୁ ତାଙ୍କ ମୁଣ୍ଡ ବୁଲାଇଥିଲା । ତେବେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବା ବେଳେ ସମସ୍ତଙ୍କ ସହ ଗଡକରୀ ବି ଛିଡା ହୋଇଥିଲେ । ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇଥିଲା ଓ ସେ ପଡିଯାଇଥିଲେ । ତେବେ ପାଖରେ ଥିବା ମହାରାଷ୍ଟ୍ର ରାଜ୍ୟ ସି ବିଦ୍ୟାସାଗର ରାଓ ତୁରନ୍ତ ତାଙ୍କୁ ଧରି ପକାଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ହସପିଟାଲ ନିଆଯାଇଥିଲା ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଫୁଲେ ଏଗ୍ରିକଲଚରାଲ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରେ ସେ ନିଜ ଅଭିଭାଷଣ ରଖି ସାରିବା ପରେ ନିଜ ଆସନକୁ ଫେରିଥିଲେ । ପରେ ଜାତୀୟ ସଙ୍ଗୀତ ଗାନ ପାଇଁ ଛିଡା ହୋଇଥିଲେ । ଏହି ସମୟରେ ଏଭଳି ଅଘଟଣ ଘଟିଛି । ସ୍ଥାନୀୟ ଏକ ଆଂଚଳିକ ଟିଭି ଚ୍ୟାନେଲ ଟିଭି-୯ ମରାଠୀ ଏହି ସମୟର ଏକ ଭିଡିଓ ପୋଷ୍ଟ କରିଛି ।