ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶର ସବୁ ରାଜ୍ୟ ପୋଲିସ ଓ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ପାଇଁ ଅଣ୍ଟା ଭିଡିଛନ୍ତି । ଓଡିଶାରେ ମଧ୍ୟ ମୋ ସରକାର ଜୋଜନାରେ ପୋଲିସକୁ ସାମିଲ କରାଯାଇଛି । ତେବେ ଏହି ଅବସରରେ ଦିଲ୍ଲୀ ପୋଲିସ ମଧ୍ୟ ଏବେ ଏକ ନୂଆ ଯୋଜନା ହାତକୁ ନେଇଛି । ଏଣିକି ଦିଲ୍ଲୀରେ ପିସିଆରକୁ ଫୋନ କଲେ ମାତ୍ର ୫ ମିନିଟ ମଧ୍ୟରେ ଫୋନ କରିଥିବା ସ୍ଥାନରେ ପହଞ୍ଚିବ ପିସିଆର । ଦିଲ୍ଲୀରେ ଆହୁରି ୫୫୦ ଟି ଗାଡି ସାମିଲ ହେବାକୁ ଯାଉଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହାକୁ କିଣିବା ଆରମ୍ଭ କରି ଦେଇଛି । ଆସନ୍ତା ୬ ମାସ ମଧ୍ୟରେ ଏହି ଗାଡି ଗୁଡିକ ସାମିଲ ହେବ । ଏହି ଗାଡିରେ ଏସୟୁଭି, ଇନୋଭା, ସ୍କର୍ପିଓକୁ ସାମିଲ କରାଯିବ ।
ତେବେ ଏହି ୫୫୦ ଟି ଅତିରିକ୍ତ ଗାଡି ପିସିଆରରେ ସାମିଲ ହେଲେ ଫୋନ କରିବାର ମାତ୍ର ୫ ମିନିଟ ମଧ୍ୟରେ ପହଞ୍ଚିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପିସିଆର ଡିସିପି ଶରତ କୁମାର ସିହ୍ନା । ଏବେ ଦିଲ୍ଲୀ ପୋଲିସ ନିକଟରେ ୯୦୦ ଟି ଗାଡି ରହିଛି । ବିଭିନ୍ନ ସମୟରେ ଟ୍ରାଫିକ ଜାମ ରହିବା ଯୋଗୁ ଏବେ ଗାଡି ପହଞ୍ଚିବାକୁ ୧୦ ରୁ ୧୫ ମିନିଟ ଲାଗୁଛି । ଅଧିକ ଗାଡି ସାମିଲ ହେଲେ ଏହି ସମୟସୀମା କମିଯିବ ବୋଲି ସୂଚନା ମିଳିଛି ।