ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନ ରାଲି ପାଇଁ ତିନୋଟି ରାଜ୍ୟ ଅଭିମୁଖେ ଯାଇଛନ୍ତି । ପଶ୍ଚିମ ବଙ୍ଗର କୁଚ୍ ବିହାର ପରେ ତ୍ରିପୁରାର ଉଦୟପୁର ଏବଂ ପୁଣି ମଣିପୁର ଇମ୍ଫାଲରେ ତାଙ୍କର ରାଲି ରହିଛି । ଉତ୍ତର ପ୍ରଦେଶ ପରେ ଏବେ ବିଜେପିର ନଜର ପଶ୍ଚିମ ବଙ୍ଗ ଉପରେ ରହିଛି । ଏଠାରେ ବିଜେପିର ଗୋଟିଏ ଲକ୍ଷ୍ୟ ଲୋକସଭା ସିଟରେ ଅଧିକାଂଶ ପଦ୍ମ ଫୁଟିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଏହି ଅଭିଯାନକୁ ସଫଳ କରିବାରେ ଲାଗି ପଡିଛନ୍ତି ।
ପଶ୍ଚିମ ବଙ୍ଗ କୁଚ୍ ବିହାରରେ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି , ‘ଆପଣ ମୋଦି ମୋଦି କରିବା ଦ୍ୱାରା ଏଠାରେ କାହାର ନିଦ ଉଡି ଯାଇଛି । ଏଠାରେ ଏତେ ମାତ୍ରାର ଭିଡ ପ୍ରମାଣ କରୁଛି କି ଏହା ଦିଦିଙ୍କର ବିନାଶ । ଏନେଇ ଦିଦି ସମ୍ପୂର୍ଣ୍ଣ ଡରି ଯାଇଛନ୍ତି । ଟେଲିଫୋନ୍ ରେ କଥା ହେବା ପ୍ରାୟତଃ ମାଗଣା ହୋଇଯିବ ଏବଂ ଇଣ୍ଟରନେଟ୍ ଦୁନିଆରେ ସବୁଠାରୁ ଶସ୍ତା ହୋଇଯିବ । ଏହା ଅସମ୍ଭବ ଲାଗୁଥିଲା । କିନ୍ତୁ ଅସମ୍ଭବ ଟା ଏବେ ସମ୍ଭବ । ଗରିବଙ୍କ ଘରେ ଗ୍ୟାସ ଚୂଲା ଜଳିବା ସମ୍ଭବ ହେଉନଥିଲା, କିନ୍ତୁ ଅସମ୍ଭବ ଏବେ ସମ୍ଭବ । ଏହି ଅସମ୍ଭବକୁ ସମ୍ଭବ କିଏ କରିଛି, ଆପଣମାନେ ହିଁ କରିଛନ୍ତି, ଆପଣମାନଙ୍କ ଗୋଟେ ଗୋଟେ ଭୋଟ ହିଁ କରିଛି, ଆପଣଙ୍କ ଆର୍ଶୀବାଦ ହିଁ କରିଛି । ୨୦୧୪ ପୂର୍ବରୁ ପ୍ରତ୍ୟେକ ଦିନ ଦେଶରେ ଆତଙ୍କି ହମଲା ହେଉଥିଲା । ସେହି ସମୟରେ ଥିବା ସରକାର ବି ଜାଣିଥିଲେ କି ଏହି ଆତଙ୍କବାଦୀ କେଉଁଠାରୁ ଆସୁଛନ୍ତି । ସେହିଭଳି ପାକିସ୍ତାନ ସବୁଦିନ ଧମକ ଦେଉଥିଲା । କିନ୍ତୁ ଯେଉଁଦିନ ଠାରୁ ଆପଣମାନେ ଏହି ଚୌକିଦାରକୁ ଦିଲ୍ଲୀରେ ବସାଇଛନ୍ତି, ଆମ ସେନାମାନେ ଆତଙ୍କବାଦୀ ଶିବିରରେ ଧସେଇ ପଶି ତାଙ୍କୁ ମାରୁଛନ୍ତି । କ’ଣ ଆପଣ ଚୌକିଦାରର ଏହି କାମରେ ସନ୍ତୁଷ୍ଟ ଅଛନ୍ତି? କ’ଣ ମୋତେ ଆଉ କାମ କରିବା ଉଚିତ୍ । ପଶ୍ଚିମବଙ୍ଗରେ ଦିଦି କେବଳ ମୋଦି ହଟାଅ ଅଭିଯାନରେ ଲାଗିଛନ୍ତି । ଯେଉଁ ପଶ୍ଚିମବଙ୍ଗର ମା’ ଭଉଣୀମାନେ ମୋ ସହିତ ଛିଡା ହୋଇଛନ୍ତି, ଯେଉଁଠାର ସମସ୍ତ ଯୁବପିଢୀ ଦେଶ ସହ ଛିଡା ହୋଇଛନ୍ତି, ସେହି ସ୍ଥାନରୁ କ’ଣ ମୋଦିଙ୍କୁ କେହି ହଟାଇ ପାରିବ ? ’