ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥ ସେବା ବିଭାଗ (ଡିଏଫଏସ) ର ସଚିବ ରାଜୀବ କୁମାର ଏବେ ଦେଶର ନୂତନ ଅର୍ଥ ସଚିବ ହେବେ । ମଙ୍ଗଳବାର ସରକାରଙ୍କ ପକ୍ଷରୁ ତାଙ୍କୁ ନୂତନ ଅର୍ଥ ସଚିବ ଭାବେ ନିଯୁକ୍ତି କରିବା ପାଇଁ ଘୋଷଣା କରିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ପକ୍ଷରୁ ରାଜୀବ କୁମାରଙ୍କ ଅର୍ଥ ସଚିବ ରୂପେ ନିଯୁକ୍ତି କରିବା ପାଇଁ ମଞ୍ଜୁର ପ୍ରଦାନ କରାଯାଇଛି ।
୧୯୮୪ ବ୍ୟାଚ୍ ଝାରଖଣ୍ଡ କ୍ୟାଡର ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ହେଉଛନ୍ତି ରାଜୀବ । ସୁଭାଷଚନ୍ଦ୍ର ଗର୍ଗଙ୍କ ସ୍ଥାନରେ ରାଜୀବଙ୍କୁ ଏହି ନିଯୁକ୍ତି କରାଯାଇଥିଲା । ସେପଟେ ଗର୍ଗଙ୍କୁ ବିଦ୍ୟୁତ୍ ମନ୍ତ୍ରାଳୟର ସଚିବ ଦାୟିତ୍ୱ ଦିଆଯାଇଥିଲା ।
ଏହାପରେ ଅଟକଳ କରାଯାଉଥିଲା କି ରାଜୀବ କୁମାରଙ୍କୁ କିମ୍ବା ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେୟଙ୍କୁ ଅର୍ଥ ସଚିବ କରାଯାଉ, କାରଣ ଦୁହେଁ ଗୋଟିଏ ଦିନରେ ଭାରତୀୟ ପ୍ରଶାସନିକ ସେବାରେ ଯୋଡି ହୋଇଥିଲେ ।
ବ୍ୟାଙ୍କିଂ ସେକ୍ଟରରେ ଅନେକ ସୁଧାର ଆଣିବାର ଶ୍ରେୟ ରାଜୀବ କୁମାରଙ୍କୁ ଯାଉଛି ଏବଂ ସରକାରୀ ବ୍ୟାଙ୍କରେ ରେକର୍ଡ ପୁଞ୍ଜି ନିବେଶ କରାଇବାରେ ବି ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସେପଟେ କୁମାରଙ୍କ ନେତୃତ୍ୱରେ ସଫେଇ ଅଭିଯାନ ର ପରିଣାମସ୍ୱରୂପ ଏନପିଏ ସ୍ଥିତିରେ ବି ସୁଧାର ଆସିଛି ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ବ୍ୟାଙ୍କ ରେ ବି ସୁଧାର ଆସିଛି । ଅର୍ଥ ମନ୍ତ୍ରାଳୟକୁ ଆସିବା ପୂର୍ବରୁ କୁମାର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ସେ ସ୍ଥାପନା ଅଧିକାରୀ ଥିଲେ ।