ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଦଳି ଯାଇପାରେ ଦିଲ୍ଲୀର ରାମଲୀଳା ମଇଦାନ ନାମ । କାରଣ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ଜାରି ରହିଛି ତାଙ୍କ ଚିତା ଭସ୍ମ ବିସର୍ଜନ କାର୍ଯ୍ୟକ୍ରମ । ଏହି ସମୟରେ ମହାମାନବଙ୍କୁ ସର୍ବଦା ମନେରଖିବା ପାଇଁ ରାମଲୀଳା ମଇଦାନ ନାମ ପରିବର୍ତ୍ତନ କରି ବାଜପେୟୀଙ୍କ ନାଁରେ ରଖାଯିବା ପାଇଁ ଉତ୍ତର ଏମସିଡି ର ୪ ରୁ ୫ ଜଣ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ନେଇ ଆସନ୍ତା ଅଗଷ୍ଟ ୩୦ରେ ଚର୍ଚ୍ଚା କରାଯିବ ।
ରାମଲୀଳା ମଇଦାନର ନାମ ପରିବର୍ତ୍ତନ ପ୍ରସ୍ତାବକୁ ପ୍ରଥମେ ଉତ୍ତର ଏମସିଡିର ନେମିଙ୍ଗ୍ କମିଟିକୁ ଦିଆଯିବ । ଏହି ନେମିଙ୍ଗ କମିଟି ରେ ମେୟର ଏବଂ ବିପକ୍ଷ ନେତା ସମେତ ୬ ଜଣ ସଦସ୍ୟ ଏହି ମାମଲାରେ ଚର୍ଚ୍ଚା କରିବେ । ଏମସିଡି କମିଶନର ପ୍ରସ୍ତାବ ଦେଇଥିବା ବ୍ୟକ୍ତିଙ୍କୁ ଏହାର କାରଣ ପଚାରିବେ ତାପରେ କମିଶନରଙ୍କ ରିପୋର୍ଟ ଅନୁଯାୟୀ ନେମିଙ୍ଗ କମିଟି ନାମ ପରିବର୍ତ୍ତନ ଉପରେ ନିଷ୍ପତି ନେବ ।
ଖବରମୁତାବକ, ବର୍ଷ ଶେଷରେ ହେବାକୁ ଥିବା ବିଧାନ ସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଜାରି ରହିଛି । ନିକଟରେ ଛତିଶଗଡର ପ୍ରସ୍ତାବିତ ନୂତନ ରାଜଧାନୀ ‘ନିୟୁ ରାୟପୁର’ର ନାଁକୁ ବଦଳାଇ ଅଟଳ ନଗର କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ମୁଗଲସରାଏ ରେଲୱେ ଷ୍ଟେସନର ନାଁକୁ ବଦଳାଇ ପଣ୍ଡିତ ଦିନଦୟାଲ ଉପାଧାୟ ଷ୍ଟେସନ ନାଁରେ ରଖାଗଲା ପରେ ପରେ ରାଜସ୍ଥାନର ଗୋଟେ ଗାଁର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି ।