ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଙ୍କ ଲକର ପାଇଁ ନୂତନ ଏଗ୍ରିମେଣ୍ଟ ସାଇନ କରିବାର ଶେଷ ତାରିଖ ପୂର୍ବରୁ ୧ ଜାନୁଆରୀ ୨୦୨୩ ରଖିଥିଲା ଆରବିଆଇ । ଯାହାକୁ ଏବେ ୩୧ ଡିସେମ୍ବର ୨୦୨୩ କୁ ବୃଦ୍ଧି କରାଯାଇଛି । ପ୍ରର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା ସମାପ୍ତ କରାଯିବ ।
ବ୍ୟାଙ୍କ ଲକରର ୫୦ ପ୍ରତିଶତ ନୂତନ ଏଗ୍ରିମେଣ୍ଟ ୩୦ ଜୁନ୍ ଯାଏଁ, ୭୫ ପ୍ରତିଶତ ୩୦ ସେପ୍ଟମ୍ବର ଯାଏଁ ଏବଂ ୧୦୦ ପ୍ରତିଶତ ୩୧ ଡିସେମ୍ବର ୨୦୨୩ ଯାଏଁ ସାଇନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ଆରବିଆଇ । ନୂତନ ବ୍ୟାଙ୍କ ଲକର ନିୟମ ଗ୍ରାହକଙ୍କ ପାଇଁ ୧ ଜାନୁଆରୀ ୨୦୨୨ ରୁ ଲାଗୁ ହୋଇଥିବା ବେଳେ ପୁରୁଣା ଗ୍ରାହକଙ୍କ ପାଇଁ ନୂତନ ଏଗ୍ରିମେଣ୍ଟ ସାଇନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ ଯାଏଁ ରଖାଯାଇଛି ।
ବ୍ୟାଙ୍କ ଲକରର ନୂତନ ନିୟମ ମୁତାବକ,ବ୍ୟାଙ୍କ ଏବଂ ଗ୍ରାହକଙ୍କୁ ନୂତନ ଏଗ୍ରିମେଣ୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ହେବ କି କେଉଁ ପ୍ରକାରର ସାମଗ୍ରୀ ରଖାଯିବ ଏବଂ କେଉଁ ପ୍ରକାରର ରଖାଯିବନି । ଏହା ସହିତ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ମୂଲ୍ୟବାନ ଜିନିଷଗୁଡ଼ିକୁ ବ୍ୟାଙ୍କରେ ରଖିବା ପାଇଁ ଲକର ସୁବିଧା ନେଉଥିବା ଲୋକଙ୍କଠାରୁ ନୂଆ ପ୍ରକାରର ଚାର୍ଜ ଆଦାୟ କରିବା ଆରମ୍ଭ କରିଦେଇଛନ୍ତି । ଗ୍ରାହକମାନଙ୍କ ସହିତ ଏହି ନୂତନ ନିୟମକୁ ଆଣିବା ପାଇଁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ପ୍ରକାରର ଷ୍ଟାମ୍ପ ଶୁଳ୍କ ଆଦାୟ କରୁଛନ୍ତି ।