ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାତି ପାହିଲେ ସାରା ଦେଶ ପାଳିବ ତାର ୭୧ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ଉତ୍ସବର ମାଲୋହଲ ଦେଖିବାକୁ ମିଳୁଛି । ତେବେ ଏହି ସମୟରେ ଫାଇଦା ଉଠାଇ ଦେଶ ମଧ୍ୟରେ ଆତଙ୍କ ସୃଷ୍ଟି କରୁବାକୁ ଚେଷ୍ଠା କରିପାରନ୍ତି ଆତଙ୍କବାଦୀ । ତେବେ ଦେଶରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ସବୁଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଆତଙ୍କବାଦୀମାନେ ନିଜର ପ୍ରଥମ ଟାର୍ଗେଟରେ ସବୁବେଳେ ରଖୁଥିବାରୁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯିବା ସହ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।
ଏଥିପାଇଁ ରାଜଧାନୀ ଦିଲ୍ଲୀକୁ ହଜାର ହଜାର ସୁରକ୍ଷାକର୍ମୀ ଛାଉଣି କରିଦିଆଯାଇଛି । ଖାଲି ସେତିକି ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଅନ୍ୟପଟେ ଦିଲ୍ଲୀ ପୋଲିସ ହାତରେ ପ୍ରଥମ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ଦିଲ୍ଲୀ ପୋଲିସ ପ୍ରଥମେ ଦିଲ୍ଲୀର ସମସ୍ତ ସୀମାକୁ ସିଲ କରିବା କାମ କରିବ । ଏହାଛଡା ସ୍ମାଟ ଟିମ ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି । ସାଧାରଣତନ୍ତ୍ର ଦିବସ ନିମନ୍ତେ ୪୮ କମ୍ପାନୀ ଅର୍ଦ୍ଧସାମରିକ ବଳ, ୧୭,୦୦୦ ଦିଲ୍ଲୀ ପୋଲିସ ସଦସ୍ୟ ମୁତୟନ କରାଯିବା ସହ ୨୭୦୦ ଦିଲ୍ଲୀ ପୋଲିସ ସାଧା ପୋଷାକରେ ସମସ୍ତ ସ୍ଥିତିର ଯାଞ୍ଚ କରିବେ ।
ସେହିପରି ଏବର୍ଷ ପରେଡରେ ବ୍ରାଜିଲର ରାଷ୍ଟ୍ରପତି ମୁଖ୍ୟଅତିଥି ରୂପେ ଯୋଗ ଦେଉଥିବାରୁ ପରେଡ ସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଦିଆ ଯାଇଛି । ପରେଡ ଦେଖିବା ନିମନ୍ତେ ବହୁ ସଂଖ୍ୟାକ ଲୋକ ଉବସ୍ଥିତ ରହୁଥିବାରୁ ଯେପରି କୌଣସି ଅଘଟଣ ନଘଟିବ ସେଥବ ପାଇଁ ପରେଡ ରୁଟରେ ସମୁଦାୟ ୫୦୦ ଏକ୍ସରେ ମେସିନ ଓ ୧୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାଛଡା କିଛି ସ୍ଥାନରେ ଚେହେରା ଚିହ୍ନଟ ସଫ୍ଟୱେୟାର ଥିବା ୧୦୦ରୁ ଅଧିକ କ୍ୟାମେରା ଲଗାଯିବା ସହ ୧୦୦ରୁ ଅଧିକ ମୋବାଇଲ ପୋଲିସ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି ଏବଂ ୧୦ଟି ସିସିଟିଭି କଣ୍ଟ୍ରୋଲ ରୁମ ନିର୍ମାଣ ହୋଇଛି ।
ସେହିପରି ଆଜିଠାରୁ ୨,୦୦୦ ଅତିରିକ୍ତ ଟ୍ରାଫିକ ପୋଲିସ ମୁତୟନ ହେବେ ।ଖାଲି ସେତି କି ନୁହେଁ ୫୦୦ ଫୁଟ ସୁଉଚ୍ଚ କୋଠାରେ ସାର୍ପସୁଟର ମୁତୟନ କରାଯିବ । ତେବେ ରାଜପଥ ସହ ରାଷ୍ଟ୍ରପତି ଭବନ ବାହାରେ ବି ସୁରକ୍ଷା କଡ଼ାକଡ଼ି କରାଯାଇଛି। ତେବେ ଦେଶବ୍ୟାପୀ ସିଏଏ ଓ ଏନଆରସିକୁ ନେଇ ବିରୋଧ ଦେଖାଦେଇଥିବା ବେଳେ ଅନ୍ଦୋଳନକାରୀ ମାନେ ଯେପରି ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ସମୟରେ କଳା ଟୋପି ପିନ୍ଧିବା ଉପରେ ଅଧିକାରୀମାନେ କଟକଣା ଲଗାଇଛନ୍ତି।